Live Odisha Tv

ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ

ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ରାଜ୍ୟ ସରକାର ବରଖାସ୍ତ କରିବା ମାମଲା ହାଇକୋର୍ଟରେ ପହଂଚିଛି । ରାଜ୍ୟ ମହିଳା  ଆୟୋଗର ବରଖାସ୍ତ ହୋଇଥିବା ୩ ଜଣ ସଦସ୍ୟାଙ୍କ ପୃଥକ ପୃଥକ ଆବେଦନର ଆଜି ହାଇକୋର୍ଟ ଶୁଣାଣି କରି ୧୦ଦିନ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଡିସେମ୍ବର ୧୧ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ । ଏହି ୩ ସଦସ୍ୟାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଶୋକ ପରିଜା ଯୁକ୍ତି ବାଢ଼ିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଜବାବ ରଖିଥିଲେ ।

ରାଜ୍ୟ ମହିଳା ଆୟୋଗ ଆଇନ-୧୯୯୩ର ଧାରା ୪(୩ ଘ,ଚ)ର ଯେଉଁ ପ୍ରାବଧାନ ଆଧାରରେ ସଦସ୍ୟା ଓ ଅଧ୍ୟକ୍ଷାଙ୍କୁ ବରଖାସ୍ତ କରାଯାଇଛି ତାକୁ ଆବେଦନକାରୀଙ୍କ ଓକିଲ ଶ୍ରୀ ପରିଜା ଚ୍ୟାଲେଞ୍ଜ କରିଥିଲେ । ସେମାନଙ୍କୁ ଖରାପ ପ୍ରଦର୍ଶନର ଆଳ ଦେଖାଇ ବରଖାସ୍ତ କରାଯିବା ସିଧାସଳଖ ଆଇନର ଉଲ୍ଲଘଂନ ବୋଲି କହିବା ସହ ରାଜ୍ୟ ସରକାରଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ ଯେ, ସରକାର ଦେଇଥିବା କାରଣଦର୍ଶାଅ ନୋଟିସର ଜବାବ ସଦସ୍ୟାମାନେ ଦିନକ ମଧ୍ୟରେ ଦେଇଥିôଲେ ।ତେଣୁ ସେମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ ବୋଲି କୁହାଯିବା ଅନୁଚିତ୍ । ସେମାନଙ୍କ ଜବାବକୁ ଆଧାର କରି ହିଁ ମହିଳା ଓ ଶିଶୁବିକାଶ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି । ଏହି ସମଗ୍ର ପ୍ରକ୍ରିୟାରେ କୌଣସି ବେଆଇନ ହୋଇନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଯୁକ୍ତି ଦର୍ଶାଇଥିଲେ ।

ତେବେ ଜଷ୍ଟିସ ପାଣିଗ୍ରାହୀ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ୧୦ଦିନ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପରବର୍ତ୍ତୀ ମାମଲା ଡିସେମ୍ବର ୧୧ତାରିଖକୁ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ବିଜେଡି ଶାସନକାଳରେ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତ୍ରୀମାନଙ୍କୁ ବିଦା କରିଥିଲେ । ଏହି ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟାମାନଙ୍କୁ ନଭେମ୍ବର ୯ତାରିଖରେ ବରଖାସ୍ତ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

Digital Griot