ଭୁବନେଶ୍ୱର: ଆସନ୍ତା ୨୭ ତାରିଖଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତିଙ୍କ ଆଗମନ ପାଇଁୱ ବ୍ଲୁ-ବୁକ୍ ଗାଇଡ଼ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ।
ଆଉ ଗୋଟିଏ ଦିନରେ ଆରମ୍ଭ ହୋଇଯିବା ଶୀତ ଅଧିବେଶନ । ଏହା ପୂର୍ବରୁ ବିଧାନସଭା ପରିସରେ ପୋଲିସ ଛାଉଣି ହୋଇଗଲାଣି । ପୋଲିସ କମିଶନର ମଙ୍ଗଳବାର ବିଧାନସଭା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଅଧିବେଶନ ସମୟରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମୁତୟନ ରହିବେ । ଡିସିପିଙ୍କ ତତ୍ୱାବଧାନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।
ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍ ରୁମ୍ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବେ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସରଭେଲାନସ ଦ୍ୱାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ ।





