ଲାଞ୍ଚ ନେଇ ଆଇଆଇସି ଗିରଫ

ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ରବିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ସ୍ଥିତ ସିଆରଆରଆଇ ପୁଲିସ ଥାନାର ଆଇଆଇସି ବିଜୟ କୁମାର ବାରିକ। ସୁରୁଖୁରୁରେ ବେପାର କରିବା ପାଇଁ ଉକ୍ତ ମଦ ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିଲେ ଆଇଆଇସି ବିଜୟ କୁମାର ବାରିକ। ସେ ଭୁବନେଶ୍ୱରର ରାଜମହଲ ଛକରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଆଇଆଇସି ଶ୍ରୀ ବାରିକଙ୍କ ଭୁବନେଶ୍ୱରର ୟୁନିଟ-୧ ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ଟଙ୍କା କେଉଁଠାରୁ ଆସିଲା, ତା’ର କୌଣସି ସନ୍ତୋଷଜନକ ଉତ୍ତର ସେ ଦେଇ ପାରି ନଥିବା ସୂଚନା ମିଳିଛି। ଏହା ସହିତ ଅନେକ ସୁନାଗହଣା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଆଇଆଇସି ଶ୍ରୀ ବାରିକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅନ୍ୟପକ୍ଷରେ ଆଇଆଇସି ଶ୍ରୀ ବାରିକଙ୍କ ଭୁବନେଶ୍ୱରର ୟୁନିଟ-୧ ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ବେଳେ ତାଙ୍କ ପତ୍ନୀ ଏକ ସିଡିକୁ ଭାଙ୍ଗି ଦେଇଥିଲେ। ସେହି ସିଡିରେ କ’ଣ ଥିଲା, ତାହା ଜଣାପଡ଼ିନାହିଁ। ତେବେ ତାଙ୍କ ପତ୍ନୀ ସେଇଟିକୁ ଭାଙ୍ଗି ଦେବାରୁ ସେଥିରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Digital Griot