କେଉଁଝର : ଜାତୀୟ ସାଇବର ଅପରାଧ ରିପୋର୍ଟ ଆଧାରରେ ଯୋଡା ପୋଲିସ ଚାରିଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଆଶିଷ କୁମାର ଦାସ ଏବଂ ସରଫରାଜ ଆଲ୍ଲାମ, ମହିଳା, ବେକାର ଯୁବକ ଏବଂ ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ଟାର୍ଗେଟ କରି କମିଶନ ଦେବା ଲୋଭ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଇଥିଲେ। ବ୍ୟାଙ୍କ ଖାତା , ଏଟିଏମ୍ କାର୍ଡ ଏବଂ ଚେକ୍ ବହି ସଂଗ୍ରହ କରି କୋଲକାତାର କୁଖ୍ୟାତ ସାଇବର ଠକ ଗୌରବ କୁମାରକୁ ପଠାଉଥିଲେ । ଫରଜି ବ୍ୟାଙ୍କ୍ ଏକାଉଣ୍ଟ୍ ଯୋଗାଇ ଆଶିଷ କୁମାର ଦାସ ସାଇବର ଠକଙ୍କ ଠାରୁ ପ୍ରତି ଆକାଉଣ୍ଟ ପିଛା ୬୦ ହଜାରରୁ ୭୦ହଜାର ଟଙ୍କା ପାଉଥିବା ବେଳେ ଆକାଉଣ୍ଟଧାରୀଙ୍କୁ କମିଶନ ଭାବରେ ୧ହଜାର ରୁ ୨ହଜାର ଟଙ୍କା ଦେଉଥିବା ନିଜେ ସ୍ବୀକାର କରିଛି । ଅନ୍ୟ ଦୁଇ ଅଭିଯୁକ୍ତ, ରାମ ନାରାୟଣ ଗୁପ୍ତା ଏବଂ ରାକେଶ କୁମାର ଗୁପ୍ତା, ଆଶିଷ କୁମାର ଦାସଙ୍କୁ ପାସବୁକ୍, ଏଟିଏମ୍ କାର୍ଡ ଏବଂ ଚେକ୍ ବହି ଯୋଗାଇ ଦେଇଥିଲେ ଯାହା ବଦଳରେ ଆଶିଷ ପ୍ରତ୍ୟେକଙ୍କୁ ୧ହଜାର ଟଙ୍କା ଲେଖାଏ ଦେଇଥିଲେ । ଏହି ଫରଜି ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରି, ସାଇବର ଠକମାନେ ରାଜ୍ୟ ଏବଂ ଦେଶ ସାରା ନିରୀହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି । ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଫୋନ୍ ଏବଂ ଅନେକ ଗୁଡ଼ିଏ ବ୍ୟାଙ୍କ ଷ୍ଟେଟମେଣ୍ଟ ଯବତ୍ କରିଛି । ପୁଲିସ ପକ୍ଷରୁ ଆକାଉଣ୍ଟ ଗୁଡ଼ିକ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଯୋଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ କହିଛନ୍ତି ।
ରିପୋର୍ଟ : ଦିଗାମ୍ବର ବେହେରା





