ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଉତ୍ତରାଖଣ୍ଡ ୟୁପିଇଏସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ମଙ୍ଗଳବାର ଡେରାଡୁନ୍ସ୍ଥିତ ୟୁପିଇଏସ୍ ବିଶ୍ୱବିଦ୍ୟାଳୟର ୨୨ତମ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୧ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ସମ୍ମାନସୂଚକ ଡିଗ୍ରୀ ପ୍ରଦାନ ଅବସରରେ ଶ୍ରୀ ସାମନ୍ତଙ୍କ ଅସାଧାରଣ ସାମାଜିକ ପ୍ରୟାସ ଉପରେ ଆଲୋକପାତ କରାଯାଇଥିଲା। ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତି, ବିଗତ ୩୩ବର୍ଷ ଧରି ମୁଁ ନିରନ୍ତର ସମାଜସେବା କରିଆସୁଛି। ଏହି ୬୧ ତମ ସମ୍ମାନସୂଚକ ଡକ୍ଟରେଟ୍ ନିଶ୍ଚିତ ଭାବେ ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ଏହି ଅବସରରେ ବ୍ରିଟିଶ୍ ପାର୍ଲାମେଣ୍ଟର ସାଂସଦ ଲର୍ଡ କରଣ ବିଲିମୋରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡ଼ିଗ୍ରୀ ପ୍ରଦାନ କରାଯାଇଛି।