ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଓ ଅନୀଲ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଲା । କାରଣ ଏମାନଙ୍କ ବେଆଇନ ଆର୍ଥିକ କାରବାରର ପେଡ଼ି ଖୋଲିବାକୁ ଅଣ୍ଟା ଭିଡ଼ିଲା ଇଡି । କମିଶନରେଟ୍ ପୋଲିସଠାରୁ ସଂଗ୍ରହ କଲା ତଥ୍ୟ । ସେପଟେ ହଂସିତା-ଅନୀଲ କେମିତି ଠକେଇ କରୁଥିଲେ, ତାର ଗନ୍ଧ ବାରିଛି ତଦନ୍ତକାରୀ ଟିମ୍ ।
କେମିତି ଲୁଟୁଥିଲେ ଠକ ଦମ୍ପତି ହଂସିତା ଓ ଅନୀଲ ? କଣ ଥିଲା ଠକିବାର ତରିକା ? ମଧ୍ୟସ୍ଥତା ସାଜି କାହାର ଟ୍ରାନ୍ସଫର କରୁଥିଲେ କି ? ନା ଟେଣ୍ଡର ଫିକ୍ସିଂରେ ପୂରାଉଥିଲେ ମୁଣ୍ଡ ? କୁହାଯାଉଛି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଜ୍ବାଇଁ ପରିଚୟ ଦେଇ ମିଛ ପତିଆରା ବଢ଼ାଉଥିଲେ ଅନୀଲ । ଆଉ ତାକୁ ଆଧାର କରି ବଡ଼ବଡ଼ିଆଙ୍କୁ ଠକେଇର ଜାଲରେ ଫସାଉଥିଲେ । ମାତ୍ର ଦୁଇ ବର୍ଷରେ ଆଖି ଖୋସିଲା ଭଳି ସଂପତି ଠୁଳ କରିଥିଲେ ଏହି ହାଇପ୍ରୋଫାଇଲ ଠକ ଦମ୍ପତି । ଯାହାର ଖୋଳତାଡ଼ କରି ଖୁଲାସା କରୁଛି ଆୟକର ବିଭାଗ । କୋଟି କୋଟି ଟଙ୍କାର ଦାମୀ କାର୍ ଚଢୁଥିଲେ ହଂସିତା-ଅନୀଲ । କାର୍ କିଣିବା ପରେ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ହଂସିତାଙ୍କ ଫ୍ଲାଟରୁ ୩ଟି ଦାମୀ କାର୍ ସିଜ୍ କରିଛି ଆୟକର ବିଭାଗ।
ହଂସିତା-ଅନୀଲଙ୍କ ପାଇଁ ଆହୁରି ଅଡୁଆ ବଢିଛି । କାରଣ ଠକ ଦମ୍ପତିଙ୍କ କଳାଧନ ଖୋଜିବ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି । ଏଥିପାଇଁ କମିସନରେଟ ପୋଲିସଠାରୁ ଇଡି ଅଧିକାରୀମାନେ ତଥ୍ୟ ସଂଗ୍ରହ କରିଛନ୍ତି । ଏତଲା କପିକୁ ତର୍ଜମା କରିଛନ୍ତି । ସେପଟେ ରେଡ୍ ଶେଷ କରି ବେନାମୀ ସମ୍ପତ୍ତିର ଆକଳନ କରୁଛି ଆୟକ ବିଭାଗ । ଜବତ କାର୍ଗୁଡ଼ିକୁ ଯେମିତି ବିକ୍ରି ହୋଇ ନ ପାରିବ, ସେଥିପାଇଁ RTO ଏବଂ IGRକୁ ସୂଚିତ କରିଛି ।
ଠକେଇ ପାଇଁ ରୂପ ଓ ଭେକ ବଦଳାଇଥିବା ହଂସିତାଙ୍କ ଠକେଇର ତରିକା ଏବେ ବି ପୋଲିସକୁ ଗୋଲକଧନ୍ଦାରେ ପକାଇଛି । କାରଣ ହଂସିତା-ଅନୀଲଙ୍କ ଦ୍ବାରା ଠକାମୀର ଶିକାର ହୋଇଥିବା ମାତ୍ର ଜଣେ ବ୍ୟକ୍ତି ପୋଲିସରେ ଅଭିଯୋଗ କରିଛନ୍ତି । ଆଉ କେହି ସାମ୍ନାକୁ ଆସୁ ନାହାନ୍ତି । ତେଣୁ ଏହି ଠକ ଦମ୍ପତିଙ୍କ ଲିଙ୍କରେ ଆଉ କେଉଁମାନେ ଅଛନ୍ତି, ତାହା ଜାଣିବାକୁ ତନାଘନା ଚଳାଇଛି ପୋଲିସ ।