ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ ଟି-୨୦ ବିଶ୍ୱକପ୍ ୨୦୨୬ । ବିଶ୍ୱକପ୍ ପାଇଁ ଭାରତୀୟ ଦଳ କେବେ ଘୋଷଣା କରାଯିବ ତାକୁ ନେଇ ଆସିଛି ବଡ ଅପଡେଟ୍ । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଯେ, ଟି-୨୦ ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡିସେମ୍ବର ୨୦ ତାରିଖରେ ଦଳ ଘୋଷଣା କରାଯିବ । ଅପରାହ୍ନ ୧ଟା ୩୦ର ଏହା ଘୋଷଣା କରାଯିବ । ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ।
ଟି-୨୦ ବିଶ୍ୱକପ୍ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବ । ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପ୍ରବଳ ଦାବିଦାର ରହିଛି । ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ମଧ୍ୟ । ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା ।
ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସି ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ । ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଦିନିକିଆ ସିରିରୁ ନ୍ୟୁଜିଲାଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ । ପ୍ରଥମ ଦିନିକିଆ ଜାନୁଆରୀ ୧୧ରେ ଭଦୋଦରା, ଦ୍ୱିତୀୟ ୧୪ରେ ରାଜକୋଟ୍ ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୮ରେ ଇନ୍ଦୋରରେ ଖେଳାଯିବ ।
ଦିନିକିଆ ସିରିଜ୍ ପରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍ ଜାନୁଆରୀ ୨୧ ତାରିଖରେ ନାଗପୁରରେ ଆରମ୍ଭ ହେବ। ଦ୍ୱିତୀୟ ଟି୨୦ ଜାନୁଆରୀ ୨୩ ତାରିଖରେ ରାୟପୁରରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜାନୁଆରୀ ୨୫ ତାରିଖରେ ଗୌହାଟୀରେ ଖେଳାଯିବ। ଚତୁର୍ଥ ଟି୨୦ ଜାନୁଆରୀ ୨୮ ତାରିଖରେ ଭାଇଜାଗରେ ଏବଂ ଶେଷ ଟି୨୦ ଜାନୁଆରୀ ୩୧ ତାରିଖରେ ତିରୁଅନନ୍ତପୁରମରେ ଖେଳାଯିବ।





