ନୂତନ ବର୍ଷ: ଆଶା ଓ ଦାୟିତ୍ୱର ନୂଆ ଆରମ୍ଭ

ନୂତନ ବର୍ଷ ମାନେ କେବଳ ସମୟର ପରିବର୍ତ୍ତନ ନୁହେଁ; ଏହା ହେଉଛି ଧର୍ମ, କର୍ମ ଓ ଭକ୍ତିର ପଥରେ ଆତ୍ମଶୁଦ୍ଧିର ଏକ ନୂଆ ଡାକ। ଶାସ୍ତ୍ର କୁହେ—
“କାଲଃ କର୍ମାଣି ଭୂତାନାଂ”
ଅର୍ଥାତ୍ ସମୟ ସମସ୍ତ ପ୍ରାଣୀଙ୍କ କର୍ମକୁ ପରୀକ୍ଷା କରେ। ନୂତନ ବର୍ଷ ସେହି ସମୟର ଏକ ପବିତ୍ର ସନ୍ଧିକ୍ଷଣ, ଯେଉଁଠାରେ ମନୁଷ୍ୟ ନିଜ କର୍ମକୁ ପୁନଃବିଚାର କରିପାରେ।
ଭଗବଦ୍‌ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି—
“ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍”
ମଣିଷ ନିଜ ଆତ୍ମା ଦ୍ୱାରା ନିଜକୁ ଉନ୍ନତ କରୁ, ନିଜକୁ ଅବନତ ନ କରୁ। ନୂତନ ବର୍ଷ ଆମକୁ ଏହି ଆହ୍ୱାନ ଦେଉଛି ପରିସ୍ଥିତିକୁ ଦୋଷ ଦେବା ନୁହେଁ, ନିଜକୁ ସୁଧାରିବା।
ଉପନିଷଦ କୁହେ—
“ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ” ଅସତ୍ୟରୁ ସତ୍ୟକୁ, ଅନ୍ଧକାରରୁ ଆଲୋକକୁ, ମୃତ୍ୟୁରୁ ଅମୃତତ୍ୱକୁ ନେଇଯାଅ। ଏହି ପ୍ରାର୍ଥନା ହିଁ ନୂତନ ବର୍ଷର ସାର ଜୀବନକୁ ଉଚ୍ଚ ଚେତନା ଦିଗକୁ ନେବା। ଶାସ୍ତ୍ରରେ କୁହାଯାଇଛି—
“ଧର୍ମୋ ରକ୍ଷତି ରକ୍ଷିତଃ”
ଯିଏ ଧର୍ମକୁ ରକ୍ଷା କରେ, ଧର୍ମ ତାକୁ ରକ୍ଷା କରେ। ନୂତନ ବର୍ଷରେ ଯଦି ଆମ ଚିନ୍ତା, କଥା ଓ କାର୍ଯ୍ୟ ଧର୍ମସମ୍ମତ ହୁଏ, ତେବେ ଜୀବନ ସ୍ୱୟଂ ସୁସମ୍ବଳିତ ହୋଇଯାଏ।
ରାମାୟଣର ଉପଦେଶ ମନେ ପକାଏ
“ପରହିତ ସରିସ ଧର୍ମ ନାହିଁ”
ପରହିତ ଠାରୁ ବଡ଼ ଧର୍ମ କିଛି ନାହିଁ। ସେବା, କରୁଣା ଓ ଦୟା ଏହି ତିନିଟି ଗୁଣ ନୂତନ ବର୍ଷରେ ଆମ ଜୀବନର ମୂଳମନ୍ତ୍ର ହେଉ। ନୂତନ ବର୍ଷର ଆଗମନ ସହିତ ସାରା ଦେଶ ଓ ସମାଜରେ ଏକ ନୂଆ ଉତ୍ସାହ ଓ ଆଶାର ପରିବେଶ ସୃଷ୍ଟି ହୋଇଛି। ଗତ ବର୍ଷ ଯେଉଁ ସମସ୍ୟା, ସଫଳତା ଓ ଅନୁଭବ ଆମେ ଦେଖିଛୁ, ସେସବୁ ଆମ ପାଇଁ ଶିକ୍ଷା ହୋଇ ରହିଛି। ନୂତନ ବର୍ଷ ସେହି ଅନୁଭବକୁ ଆଧାର କରି ଆଗକୁ ବଢ଼ିବାର ଏକ ସୁଯୋଗ ଆଣିଛି। ନୂତନ ବର୍ଷ କେବଳ କ୍ୟାଲେଣ୍ଡର ର ପୃଷ୍ଠା ପରିବର୍ତ୍ତନ ନୁହେଁ, ଏହା ଜନସାଧାରଣଙ୍କ ମନୋଭାବ, ଚିନ୍ତାଧାରା ଓ କାର୍ଯ୍ୟପଦ୍ଧତିରେ ନୂଆ ଦିଗ ସୃଷ୍ଟି କରିବାର ସମୟ। ଦେଶର ବିକାଶ, ସାମାଜିକ ସମନ୍ୱୟ ଓ ସାମୂହିକ ଦାୟିତ୍ୱ ବୋଧକୁ ମଜବୁତ୍ କରିବା ପାଇଁ ଏହି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଦିନରେ ଦେଶ ଓ ସମାଜ ସାମ୍ନାକୁ ଆସୁଥିବା ଚ୍ୟାଲେଞ୍ଜ,ବେକାରି, ମୂଲ୍ୟବୃଦ୍ଧି, ପରିବେଶ ସୁରକ୍ଷା, ନୀତିଗତ ଅବକ୍ଷୟ ପ୍ରତି ସମସ୍ତଙ୍କ ସଚେତନ ହେବା ଆବଶ୍ୟକ। ସରକାର, ସଂସ୍ଥା ଓ ସାଧାରଣ ନାଗରିକ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଦ୍ୱାରା କେବଳ ମାତ୍ର ଏହି ସମସ୍ୟାମାନଙ୍କର ସମାଧାନ ସମ୍ଭବ।
ନୂତନ ବର୍ଷ ଉପଲକ୍ଷେ ଆମେ ସଂକଳ୍ପ ନେବା ଉଚିତ ସତ୍ୟତା, ଶ୍ରମ ଓ ସହଯୋଗକୁ ଆମ ଜୀବନର ମୂଳମନ୍ତ୍ର କରିବା। ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ। ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇଆସୁ ଏବଂ ନୂତନ ବର୍ଷ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ଏହି ଆଶା ସହ ଦେଶ ଓ ସମାଜ ଏକ ନୂଆ ଆଗାମୀ ଦିଗକୁ ପଦାର୍ପଣ କରୁ।
ଜୟ ଜଗନ୍ନାଥ ।

ସୁଶାନ୍ତ ପଣ୍ଡା, ସାମ୍ବାଦିକ

Digital Griot