ନିଆରା ଭାବେ ନୂଆବର୍ଷ ପାଳିଲେ ସମାଜ ସେବୀ

ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ ବ୍ୟାଲେନ୍ସ ବଢ଼ାଇବ । କିଏ ଭୋଜି ଭାତରେ ମଶଗୁଲ ଥିବା ବେଳେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା ପାଇଁ । କେବଳ ପଦ୍ମପୁର ନୁହେଁ ପୁରା ବରଗଡ଼ ଜିଲ୍ଲାରେ ଗରିବ ନିରାଶ୍ରୟ ଲୋକଙ୍କ ପାଇଁ ସହଯୋଗର ହାତ ବଢାଇବେ । ତେଣୁ ଏଥି ପାଇଁ ନିଆରା ଭାବରେ ନୂତନ ବର୍ଷକୁ ପାଳନ କରିଛନ୍ତି ବୁଲୁ ଦାଶ । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବାଗଝୁଲା ସ୍ଥିତ ସମୀର ଦିବ୍ୟାଙ୍ଗ ଓ ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଏହି ଜାଡରେ ତଳେ ବସିବା ଅସମ୍ଭବ ଥିଲା । ଅଧିକ ବୟସ ଯୋଗୁ ତଳେ ବସିଲେ ବି ଉଠିବା କଷ୍ଟ । ଏକଥା ବୁଲୁ ଦାଶଙ୍କ କାନରେ ପଡ଼ିଲା । ବ୍ୟତିବ୍ୟସ୍ତ ବୁଲୁ ଆଉ ଡେରି କଲେ ନାହିଁ, ନିଜ କାମ ଛାଡି ସକାଳୁ ସକାଳୁ ପହଁଚିଗଲେ ଦୋକାନରେ । ବୃଦ୍ଧ ବାପା ମା ମାନଙ୍କ ବସିବା ପାଇଁ ୧୦ଟି ଚେୟାର କିଣିଲେ ଆଉ ତାକୁ ଧରି ପହଁଚିଗଲେ ଆଶ୍ରମରେ । ଏସବୁ ଦେଖି ଅନ୍ତେବାସୀଙ୍କ ଖୁସି କହିଲେ ନସରେ । ସାଙ୍ଗରେ ଶାଢି ଲୁଙ୍ଗି ଓ ଶୁଖିଲା ଖାଦ୍ୟ ନେଇ ସମସ୍ତଙ୍କୁ ପ୍ରଦାନ କଲେ । ଆଉ ପ୍ରତି ବଦଳରେ ପାଇଲେ ଅଜସ୍ର ଆଶୀର୍ବାଦ । ନୂଆ ବର୍ଷରେ ଏହାଠୁ ଭଲ କାମ ଆଉ କଣ ହୋଇପାରେ । କରୋନା କାଳରୁ ଗରିବର ସେବା କରିଆସୁଥିବା ଆଉ ଆଜୀବନ ନିଜ ଉପାର୍ଜିତ ଧନର ସିଂହଭାଗ ଗରିବଙ୍କ ସେବାରେ ଲଗାଇବାକୁ ନିଷ୍ପତ୍ତି ନେଇଥିବା ବ୍ୟବସାୟୀ ବୁଲୁ ଦାଶ ସମୟ ଚକ୍ରରେ ଆଜି ସମାଜସେବୀ ପାଲଟି ସାରିଛନ୍ତି ଏବଂ ବଞ୍ଚିଥିବା ପର୍ଯ୍ୟନ୍ତ ଅସହାୟ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ନୂତନ ବର୍ଷରେ ନୂଆ ସଂକଳ୍ପ ନେଇଛନ୍ତି ।।

Digital Griot