ଅମାନିଆ ଅଫିସରଙ୍କୁ ଶିଷ୍ଟାଚାର ଛାଟ

ସରକାରୀ ଅଫିସରେ ବସି ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ହେୟଜ୍ଞାନ କରିବା ଏଣିକି ଅମାନିଆ ସରକାରୀ ବାବୁମାନଙ୍କୁ ମହଙ୍ଗା ପଡ଼ିବ । ସଂସଦୀୟ କମିଟିର କଡ଼ା ଚେତାବନୀ ପରେ କେନ୍ଦ୍ର ସରକାର ଚଳିତମାସ ୧୨ ତାରିଖରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହାକି ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି କରିଛି । ବିଧାୟକ ଓ ସାଂସଦମାନଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟେକଲକୁ ଉଲ୍ଲଘଂନ କଲେ ଅବା ନିଜର ବଦଳି-ପଦୋନ୍ନତି ଅବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନୀତିକ ଚାପ ପକାଇଲେ ‘କଣ୍ଡକ୍ଟ ରୁଲସ’ ଅନୁସାରେ କଠୋର ଦଣ୍ଡ ମିଳିବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଏଣିକି ଯଦି ଜଣେ ସାଂସଦ କିମ୍ବା ବିଧାୟକ ଜଣେ ଅଧିକାରୀଙ୍କୁ ଭେଟିବାକୁ ଆସନ୍ତି, ତେବେ ସମ୍ପୃକ୍ତ ଅଫିସର ନିଜ ଆସନରୁ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିବା ସହ ବିଦାୟ ବେଳେ ଅଫିସ୍ ବାହାର ପର୍ଯ୍ୟନ୍ତ ଛାଡ଼ିବାକୁ ଯିବେ । ଏଥିରେ ସାମାନ୍ୟ ତ୍ରୁଟି ହେଲେ ଏହାକୁ ‘ପ୍ରୋଟୋକଲ୍ ଉଲ୍ଲଂଘନ’ ଭାବେ ଗ୍ରହଣ କରାଯାଇ ସିଧାସଳଖ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଜନପ୍ରତିନିଧିଙ୍କ ଗାଡ଼ିକୁ ଅଫିସ୍ ପରିସର ମଧ୍ୟକୁ ପ୍ରବେଶ କରିବା ପାଇଁ ସୁରକ୍ଷା କଟକଣା କୋହଳ କରାଯିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, ସରକାରୀ କାର୍ଯ୍ୟକ୍ରମ ବା ସାର୍ବଜନୀନ ଉତ୍ସବରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ନିଶ୍ଚିତ ଭାବେ ନିମନ୍ତ୍ରଣ କରାଯିବ । ନିମନ୍ତ୍ରଣ ପତ୍ରରେ ସେମାନଙ୍କ ନାମ ଛପାଯିବା ସହ ମଞ୍ଚରେ ସମ୍ମାନଜନକ ଆସନ ବ୍ୟବସ୍ଥା କରିବାକୁ କୁହାଯାଇଛି । କାରଣ ‘ୱାରେଂଟ ଅଫ୍ ପ୍ରେସିଡେନ୍ସ’ ଅନୁଯାୟୀ ବିଧାୟକ ଓ ସାଂସଦଙ୍କ ସ୍ଥାନ ଭାରତ ସରକାରଙ୍କ ସଚିବଙ୍କ ଠାରୁ ମଧ୍ୟ ଉପରେ ।

କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ବିଧାୟକ-ସାଂସଦମାନେ ଦେଉଥିବା ଚିଠି ପାଇବାର ୧୫ଦିନ ମଧ୍ୟରେ ଏହାର ପ୍ରାପ୍ତିସୂଚନା ଓ ପରବର୍ତ୍ତୀ ୧୫ଦିନ ମଧ୍ୟରେ ଚୂଡ଼ାନ୍ତ ଉତ୍ତର ଦେବାକୁ ପଡ଼ିବ । ଯଦି କୌଣସି ଚିଠି ଭୁଲ ବିଭାଗକୁ ପଠାଯାଇଥାଏ, ତେବେ ୫ ଦିନ ମଧ୍ୟରେ ତାହାକୁ ସଠିକ୍ ବିଭାଗକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ଯଦି ବିଳମ୍ବ ହୁଏ, ତେବେ ଅନ୍ତରୀଣ ଉତ୍ତର ସର୍ବନିମ୍ନ ଅଣ୍ଡର ସେକ୍ରେଟୋରୀ ପାହ୍ୟାର ଅଫିସରଙ୍କ ଦ୍ୱାରା ଦିଆଯିବ । ଏହା ବ୍ୟତୀତ ବିଧାୟକ-ସାଂସଦମାନଙ୍କ ଫୋନ୍ କଲ, ଇମେଲ୍ ଅବା ଏସଏମଏସକୁ ଅଣଦେଖା କରିପାରିବେ ନାହିଁ । ଯଦି କାର୍ଯ୍ୟ ବ୍ୟସ୍ତତାରୁ ଫୋନ୍ ଉଠାଇ ପାରିନଥିବେ, ତୁରନ୍ତ କଲବ୍ୟାକ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ନିର୍ଦ୍ଦେଶାବଳୀକୁ ଅତି ଗମ୍ଭୀରତାର ସହ ପାଳନ କରିବାକୁ ସମସ୍ତ ମନ୍ତ୍ରଣାଳୟ, ଓଡ଼ିଶା ସମେତ ସବୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଯଦି କୌଣସି ଅଧିକାରୀ ଏହାର ଉଲ୍ଲଂଘନ କରନ୍ତି, ତେବେ ବିଧିବଦ୍ଧ ତଦନ୍ତ ପରେ ସେମାନଙ୍କ ବିରୋଧରେ ‘ଆପ୍ରୋପ୍ରିଏଟ୍ ପନିସମେଂଟ’ ବା ‘ଉପଯୁକ୍ତ ଦଣ୍ଡ’ର ବ୍ୟବସ୍ଥା ରହିଛି ।

Digital Griot