ସୁଜାତାଙ୍କ ଆଗମନ, ବିଜେଡିରେ ନୂଆ ସମ୍ଭାବନା ସୃଷ୍ଟି କରିଛି । ଦଳ ପାଇଁ ସୁଜାତା କେତେ ଲାଭବାନ ହେବେ ତାହା ପରର କଥା କିନ୍ତୁ ବିଜେଡିରେ ତାଙ୍କ ଗ୍ରାଣ୍ଡ ଏଣ୍ଟ୍ରୀ ଦଳୀୟ କର୍ମୀଙ୍କ ପାଇଁ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଭଳି କାମ କରିଛି । ବିଜେପିର ରଣନୀତି ଆଗରେ ଦଳୀୟ ନେତାଙ୍କୁ ଏକାଠି କରି ରଖିବାରେ ବିଫଳ ହୋଇଥିବା ଆଗଧାଡିର ନେତା ଏବେ ପୁଣି ଅଣ୍ଟା ଭିଡିଛନ୍ତି । ଏବେ ସୁଜାତାଙ୍କ ପ୍ରଥମ କାମ ଦଳୀୟ କର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ଯେ ଦଳ ନିର୍ବାଚନ ହାରିଛି କିନ୍ତୁ ଲଢିବା ଭୁଲି ନାହିଁ । ପୁଣି ଦଳ କ୍ଷମତାକୁ ଫେରିବ । ତେବେ ଦଳ କ୍ଷମତାକୁ ଫେରିବାକୁ ହେଲେ ସୁଜାତାଙ୍କ ଆଗର ବଡ ଚ୍ୟାଲେଞ୍ଜ ହେଉଛି ଧିରେ ଧିରେ ଦଳ ଛାଡି ଚାଲି ଯାଉଥିବା ନେତାଙ୍କୁ ରୋକିବା । ଏକଥା ଅବଶ୍ୟ ସତ ଯେ ଯେଉଁମାନେ ବର୍ତ୍ତମାନ ସମୟରେ ଲୋଭ-ଲାଭ ଆଶାରେ ଦଳରୁ ଦୂରେଇ ଯାଇଛନ୍ତି ସେମାନେ ସମସ୍ତେ ନବୀନଙ୍କ ଦୟାରୁ ବିଧାୟକ କିମ୍ବା ସାଂସଦ ହୋଇଥିଲେ ।
ସୁଜାତା ଭଲଭାବେ ଜାଣନ୍ତି ଯଦିଓ ସ୍ୱାର୍ଥବାଦୀ ନେତାଙ୍କର ଦଳ ଛାଡି ଚାଲିଯିବା ବିଜେଡିକୁ ସେଭଳି କ୍ଷତି ପହଁଚାଇ ପାରିବ ନାହିଁ କିନ୍ତୁ ଦଳୀୟ କର୍ମୀଙ୍କ ମନରେ ଉଠୁଥୁବା ପ୍ରଶ୍ନର ଉତ୍ତର ସୁଜାତା କିଭଳି ଦେବେ ତାହା ନିଶ୍ଚୟ ତାଙ୍କୁ ଜଣା । ସୁଜାତା ଏଭଳି ସମୟରେ କ୍ରାଇସେସ ମ୍ୟାନେଜରର ଭୁମିକାରେ ଅଛନ୍ତି ଯେତେବେଳେ ବିଧାନସଭାରେ ବିଜେଡି ଏକ ତୃତୀୟାଶଂ ସଦସ୍ୟ ଥିବା ସତ୍ତ୍ୱେ ବି ଦଳ ନିଜ ଶକ୍ତି ଉପରେ ଭରଷା କରି ପାରୁନାହିଁ । ଦଳକୁ ସଜାଡିବା, ନେତାଙ୍କ ଭିତରେ ଶକ୍ତି ସଂଚାର କରିବା ଓ ହତୋତ୍ସାହିତ ଦଳୀୟ କର୍ମୀଙ୍କ ସଂଦେହ ମୋଚନ କରି ସେମାନଙ୍କ ଭିତରେ ଲଢୁଆପଣ ସୃଷ୍ଟି କରିବାରେ ସୁଜାତା ନିଶ୍ଚୟ ସହାୟକ ହେବେ ।
ଦୁଇ ଦଶକରୁ ଅଧିକ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ ଅନେକ ସମସ୍ୟାର ସମାଧାନ କରିଥିବା ତଥା ୭୫ ଲକ୍ଷ ମହିଳାଙ୍କୁ ଏକତ୍ରିତ କରି ମିଶନ ଶକ୍ତି ଭଳି ନାରୀ ସେନା ଗଢିବାରେ ସିଦ୍ଧହସ୍ତ ସୁଜାତାଙ୍କୁ ବେଶ ଭଲ ଭାବେ ଜଣା ଶତ୍ରୁର ଷଡଯନ୍ତ୍ରକୁ କିପରି ପଣ୍ଡ କରାଯାଏ । ବିଜେଡିରେ ସୁଜାତଙ୍କ ଏଣ୍ଟ୍ରି ପରେ ବିରୋଧୀ ଶିବିରରେ ଏବେ ଛନକା ପଶିଛି । କାରଣ ବିରୋଧୀଙ୍କ ଅଣ ଓଡିଶା ନାରା ଆଉ କାମଦେବ ନାହିଁ । କାରଣ ସୁଜାତା ଶହେ ପ୍ରତିଶତ ଶୁଦ୍ଧ ଖାଣ୍ଟି ଓଡିଆ । ତେବେ ଆସନ୍ତା ବର୍ଷ ହେବାକୁ ଥିବା ପଂଚାୟତ ନିର୍ବାଚନ ସୁଜାତାଙ୍କ ପାଇଁ ଅଗ୍ନି ପରୀକ୍ଷା । ଆଉ ଯଦି ଏହି ପରୀକ୍ଷାରେ ସୁଜାତା ସଫଳ ହେଉଛନ୍ତି ତେବେ ୨୦୨୯ରେ ବିଧାନସଭାର ଚିତ୍ର ଅଲଗା ହେବ ।





