ଯେବେ ଠାରୁ କ୍ଷମତାକୁ ଆସିଲେଣି, ସେବେଠାରୁ ବିବାଦ ପିଛା ଛାଡୁ ନାହିଁ କି ସମସ୍ୟାରୁ ମୁକୁଳିବାର ବାଟ ମିଳୁ ନାହିଁ । ଗୋଟିଏ ସମସ୍ୟାରୁ ବାହାରି ଆଉ ଗୋଟିଏ କାମରେ ହାତଦେବା ବେଳକୁ ପୁଣି ସାମ୍ନାରେ ଛିଡା ହେଉଛି ଆଉ ଏକ ସମସ୍ୟା । ସବୁଠି ଏବେ ଚର୍ଚ୍ଚା ଯେ ବିଜେପି ସରକାର ଆଉ ଭିଡକୁ ନୁହେଁ । ଆଉ ଏ ସବୁ ପାଇଁ ସମସ୍ତଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସରକାରର ମୁଖିଆ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ସାଧାରଣ ଜନତା ବିଜେପିକୁ ବହୁମତ ଦେଲେ । ଆଉ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ବାଛିଥିଲେ ବିଜେପି କେନ୍ଦ୍ରୀୟ ନେତୃତ୍ୱ । କାରଣ ସରଳ ବ୍ୟକ୍ତିତ୍ୱ , ମିଷ୍ଠଭାଷୀ, ନିର୍ବିବାଦୀୟ ଚରିତ୍ର ପାଇଁ ଚୟନ ପ୍ରକ୍ରିୟାର ମାପ କାଠିରେ ମୋହନ ନମ୍ବର ୱାନ ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ମୋହନ ବାବୁ ବି ଲୋକଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବାକୁ ଲାଗିଲେ । କିନ୍ତୁ କଣ ହେଲା କେଜାଣି, ସମୟ ଗଡିବା ସହ ମୋହନଙ୍କ ସରକାର ବିବାଦ ଭିତରେ ଛନ୍ଦି ହେବାକୁ ଲାଗିଲା ।
କେବେ ଚାଷିଙ୍କ ସମସ୍ୟା, କେବେ ଶିକ୍ଷକଙ୍କ ସମସ୍ୟା, କେବେ ତୃଟିପୂର୍ଣ୍ଣ ବହି ଛପାକୁ ନେଇ ତ କେବେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପାଇଁ ବାରମ୍ବାର ସମାଲୋଚିତ ହେଲେ ମୋହନ ସରକାର । ସରକାରୀ ଦଳର ନେତାଙ୍କ ବିବାଦୀୟ ବୟାନବାଜିକୁ ବିରୋଧୀଙ୍କ ଶାଣିତ ଆକ୍ରମଣ ମୋହନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସବୁ ମୋର୍ଚ୍ଚାରେ ସରକାର ବିଫଳ ବୋଲି ଚର୍ଚ୍ଚା ଜୋର ଧରିଲାଣି, ବିଫଳତାର ପ୍ରଚାର ଭିତରେ ସଫଳତାର ଚିତ୍ର ଅସ୍ପଷ୍ଟ ଦେଖାଗଲାଣି । କାହିଁକି ଲଗାତର ଏଭଳି ଘଟଣା ଘଟୁଛି ଯେଉଁଥି ପାଇଁ ସରକାରକୁ ଅପଦସ୍ତ ହେବାକୁ ପଡୁଛି । ମୋହନଙ୍କ ପଛରେ କଣ କିଏ ଷଡଯନ୍ତ୍ର ରଚୁଛି ନା ତାଙ୍କ ଭାଗ୍ୟ ସାଥ ଦେଉନାହିଁ । କାଉ ଖାଏ ପଣସ, ବଗ ମୁଣ୍ଡରେ ଅଠା ଭଳି…..ବିଭିନ୍ନ ବିଭାଗରେ କୌଣସି ତ୍ରୁଟି ହେଲେ ମୋହନଙ୍କୁ ସମାଲୋଚନାର ସରବ୍ୟ ହେବାକୁ ପଡୁଛି । ଏଭଳି ସ୍ଥିତିରେ ମୋହନ କରିବେ କଣ ? ସରକାରକୁ କେମିତି ସଜାଡିବେ, ମଳିନ ପଡି ଆସୁଥିବା ନିଜର ଛବିକୁ କେମିତି ଚମକେଇବେ, ଭୁଲକୁ କେମିତି ସୁଧାରିବେ, ଆଉ ବାକି ଥିବା ଅବଧିରେ କି କାମ କରିବେ, ଆଉ ଲୋକଙ୍କୁ କେମିତି ଭରଷା ଦେବେ ଯେ ବାସ୍ତବରେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର ଆଉ ସେ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।
ଲାଗୁଛି ସରକାରକୁ କାହାର ନଜର ଲାଗିଯାଇଛି, ନହେଲେ କୌଣସି ସରକାରର କାର୍ଯ୍ୟକାଳ ଠାରୁ ବିବାଦର ସଂଖ୍ୟା ଅଧିକ କିପରି ହେବ । ସରକାରକୁ ଆସୁ ଆସୁ ଲୋକଙ୍କ ପ୍ରିୟପାତ୍ର ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀ ମାତ୍ର ବର୍ଷ କେଇଟାରେ ଏତେ ଅପବାଦ ମୁଣ୍ଡେଇବା ଦେଖି ଏତିକି କହିବା ମୋହନଙ୍କୁ କାହାର ନଜର ନ ଲାଗୁ ।





