କିମ୍‍ସ ଡାକ୍ତରଙ୍କ ସଫଳତା

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ (କିମସ) ଡାକ୍ତରମାନେ ବିନା ଓପନ ସର୍ଜରୀରେ ଅସ୍ତ୍ରୋପଚାର କରି ଜଣେ ଚାରି ବର୍ଷୀୟା ବାଳିକର ଫୁସଫୁସରେ ଅଟକି ରହିଥିବା ଏକ ଛୋଟ ଧାତବ ଏଲଇଡି ବଲ୍‍ବକୁ ସଫଳତାର ସହିତ ବାହାର କରି ତାଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ଏହି ଜଟିଳ ଚିକିତ୍ସା ପ୍ରକ୍ରିୟାରେ କିମସ ଡାକ୍ତରମାନେ ସର୍ବନିମ୍ନ କ୍ଷତ ସୃଷ୍ଟି ହେଉଥିବା ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରିଥିଲେ। ଏହା ଫଳରେ ଓପନ ସର୍ଜରୀର ଆବଶ୍ୟକତା ପଡ଼ିନଥିଲା। ଶିଶୁଟି ଏବେ ସୁସ୍ଥ ରହିଛି। ଏହି ସଫଳ ଅସ୍ତ୍ରୋପଚାର କେବଳ କିମ୍‍ସର ଉନ୍ନତ ଶିଶୁ ଚିକିତ୍ସା ଦକ୍ଷତାକୁ ପ୍ରତିଫଳିତ କରିନାହିଁବରଂ ଜଟିଳ ଚିକିତ୍ସା କ୍ଷେତ୍ରରେ ଆଧୁନିକ ଓ ସର୍ବନିମ୍ନ କ୍ଷତ ସୃଷ୍ଟି ହେଉଥିବା ପ୍ରଯୁକ୍ତି କେତେ ସୁରକ୍ଷିତ ଓ ପ୍ରଭାବଶାଳୀ ହୋଇପାରେତାର ଉଦାହରଣ ସୃଷ୍ଟି କରିଛି।

ଅସାବଧାନତା ଯୋଗୁଁ ଶିଶୁଟି ଏକ ଏଲଇଡି ବଲବକୁ ନାକରେ ପୂରାଇ ଦେଇଥିଲା। କ୍ରମେ ଏହା ଶ୍ୱାସ ମାର୍ଗ ଦେଇ ଫୁସଫୁସକୁ ଚାଲି ଯାଇଥିଲା। ସାଧାରଣ ପ୍ରଣାଳୀରେ ଅନ୍ୟ ଡାକ୍ତରଖାନାରେ ଏହି ବସ୍ତୁଟିକୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା। ଆଠ ଦିନ ଧରି ଶିଶୁଟିର କ୍ରମାଗତ କାଶ ଲାଗି ରହିବାରୁ ତାକୁ କିମସକୁ ଅଣାଯାଇଥିଲା। ଏଠାରେ ଡାକ୍ତରମାନେ ପରୀକ୍ଷା କରି ଏଲଇଡି ବଲ୍‌ବଟି ଫୁସଫୁସରେ ପହଞ୍ଚିଯାଇଥିବା ଜାଣିବାକୁ ପାଇଥିଲେ। ବଲ୍‍ବଟି ଡାହାଣ ଫୁସଫୁସର ନିମ୍ନ ଭାଗରେ ଏକ ସଂକୀର୍ଣ୍ଣ ଶ୍ୱାସ ପଥ ଶାଖାରେ ଅଟକି ଯାଇଥିବା ଜଣାପଡ଼ିଥିଲା। କିମସ କର୍ଣ୍ଣ-ନାସା-ଗଳା ବିଭାଗର ଡାକ୍ତରମାନେ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ସଫଳତାର ସହ ଏଲଇଡି ବଲବକୁ ବାହାର କଲେ। ଅସ୍ତ୍ରୋପଚାରର କିଛି ଘଣ୍ଟା ମଧ୍ୟରେ ଶିଶୁଟି ସୁସ୍ଥ ହେବା ପରେ ସାଧାରଣ ଭାବରେ ଖାଇବାକୁ ସକ୍ଷମ ହୋଇ ପାରିଥିଲା । ପରେ ତାକୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା।

କିମସ କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ଡା ପ୍ରଦୀପ ରଞ୍ଜନ ସାହୁ ଓ ଡା ମନୀଷା ମଲ୍ଲିକ୍‌ଆନାସ୍ଥେସିଓଲୋଜି ବିଭାଗର ଡା ବସନ୍ତ କୁମାର ବେହେରା ଓ ରେସପିରେଟୋରି ମେଡ଼ିସିନ ବିଭାଗର ଡା ସ୍ୱଦୀପ ମିଶ୍ରଙ୍କ ମିଳିତ ପ୍ରଚେଷ୍ଟାରେ ଏଭଳି ଜଟିଳ ଅସ୍ତ୍ରୋପଚାର ସଫଳ ହୋଇ ପାରିଛି। ସାଧାରଣତଃ ବୋତାମଖଡ଼ିକିମ୍ବା ବଲବ ଭଳି ଛୋଟ ବାହ୍ୟ ବସ୍ତୁଗୁଡ଼ିକ ପିଲାମାନେ ଅସାବଧନତା ଯୋଗୁଁ ନାକରେ ପୂରାଇ ଥାଆନ୍ତି। ନିଶ୍ୱାସ ନେବା ସମୟରେ ତାହା ନାକ ଭିତର ଦେଇ ଶ୍ୱାସ ପଥକୁ ଗମ୍ଭୀର କରିଦେଇଥାଏ। ଏହି ବସ୍ତୁଗୁଡ଼ିକ ଫୁସଫୁସରେ ପହଞ୍ଚିବା ପରେ ଏଗୁଡ଼ିକୁ ବାହାର କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥାଏ ଓ ବେଳେବେଳେ ବଡ଼ ଅସ୍ତ୍ରୋପଚାର ଆବଶ୍ୟକ ହୁଏ।

ଏଭଳି କ୍ଷେତ୍ରରେ କିମସ ଡାକ୍ତରମାନେ ଓପନ ସର୍ଜରୀ ପରିବର୍ତ୍ତେ ଏକ ସୂକ୍ଷ୍ମ ପଦ୍ଧତି ଅବଲମ୍ବନ କରିଥିଲେ। ଶ୍ୱାସ ପଥକୁ ସୁରକ୍ଷିତ ଭାବରେ ଖୋଲା ଓ ସ୍ଥିର ରଖିବା ପାଇଁ ସେମାନେ କଠିନ ବ୍ରୋଙ୍କୋସ୍କୋପ୍ ବ୍ୟବହାର କରିଥିଲେ। ଏହି ‘ହାଇବ୍ରିଡ୍‌’ ପଦ୍ଧତି ଦଳକୁ କଠିନଗଭୀର ସ୍ଥାନକୁ ନେଭିଗେଟ୍ କରିବାକୁ ଏବଂ କୌଣସି ଜଟିଳତା ନଥାଇ ବଲବକୁ ସୁରକ୍ଷିତ ଭାବରେ ବାହାର କରିବାକୁ ସହାୟକ ହୋଇଥିଲା। ଏଭଳି ବିରଳ ଅସ୍ତ୍ରୋପଚାରରେ ସନ୍ତୋଷ ବ୍ୟକ୍ତ କରି କିଟକିସ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥିରେ ସଂପୃକ୍ତ ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଶିଶୁଟିର ଆରୋଗ୍ୟ କାମନା କରିଛନ୍ତି।

Digital Griot