ଜନ୍ମମାଟିରେ ସେବାର ସଂକଳ୍ପ, ବିଶ୍ୱ ଦରବାରରେ ପ୍ରତିଭାର ପରିଚୟ।

ସଫଳତାର ଶିଖରରେ ପହଞ୍ଚିବା ପରେ ଅନେକେ ନିଜ ଅତୀତକୁ ଭୁଲିଯାଆନ୍ତି। ଉନ୍ନତ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ଜନ୍ମମାଟି ଛାଡ଼ି ବିଦେଶକୁ ଚାଲିଯାଆନ୍ତି। କିନ୍ତୁ ଏମିତି କିଛି ବିରଳ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ବିଶ୍ୱସ୍ତରୀୟ ସଫଳତା ଓ ପ୍ରତିଷ୍ଠା ହାସଲ କରିବା ପରେ ମଧ୍ୟ ନିଜ ଗାଁ, ମାଟି, ମଣିଷ ଓ ପିଲାଦିନର ସ୍ମୃତିକୁ ହୃଦୟରୁ ଅଲଗା କରିପାରନ୍ତି ନାହିଁ। ସେମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଶିବ ନାରାୟଣ ଚୌଧୁରୀ।ତାଙ୍କ ଜୀବନ କେବଳ ଜଣେ ସଫଳ ଡାକ୍ତରଙ୍କ କାହାଣୀ ନୁହେଁ; ବରଂ ଏହା ସଂଘର୍ଷ, ଅଧ୍ୟବସାୟ, ଶିକ୍ଷା, ସଂସ୍କାର, ସେବା ଓ ଜନ୍ମମାଟି ପ୍ରତି ଅସୀମ ଭଲପାଇବାର ଏକ ପ୍ରେରଣାଦାୟକ ଦସ୍ତାବିଜ। ବିଶ୍ୱର ଉନ୍ନତ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେବା ସତ୍ତ୍ୱେ ନିଜ ରାଜ୍ୟ, ନିଜ ମାଟି ଓ ମାଟିର ମଣିଷଙ୍କ ସେବାକୁ ଜୀବନର ପ୍ରାଥମିକତା ଦେଇଛନ୍ତି ସେ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଖର୍ତଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟ ପ୍ରକାଶ ଚୌଧୁରୀ ହେଉଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଡାକ୍ତର ପ୍ରତାପ ଚୌଧୁରୀ ଓ ମାତା ଶେଷଲତା ଚୌଧୁରୀଙ୍କ ସୁପୁତ୍ର। ପିତାଙ୍କ ଶିକ୍ଷା, ଶୃଙ୍ଖଳା, ଆଦର୍ଶ ଓ ଜୀବନଦର୍ଶନ ତାଙ୍କ ବ୍ୟକ୍ତିତ୍ୱ ଗଠନର ମୂଳଦୁଆ ହୋଇଥିବାବେଳେ ମାତାଙ୍କ ସ୍ନେହ, ସଂସ୍କାର ଓ ମାନବିକତା ତାଙ୍କୁ ଜୀବନରେ ଏକ ଭିନ୍ନ ପରିଚୟ ଦେଇଛି।

ତାଙ୍କ ଜୀବନର ଏକ ଉଲ୍ଲେଖନୀୟ ଅଧ୍ୟାୟ ହେଉଛି ପିଲାଦିନର ଶିକ୍ଷା। ସୈନିକ ସ୍କୁଲ ଓ ନବୋଦୟ ବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ପିତାଙ୍କ ପରାମର୍ଶରେ ସେ ଗାଁ ବିଦ୍ୟାଳୟରେ ରହି ନିଜ ଯୋଗ୍ୟତା ପ୍ରମାଣ କରିବାର ସୁଯୋଗ ପାଇଥିଲେ। ଫଳରେ ଗାଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଏବଂ କୃତାଙ୍ଗ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ସେହି ସମୟର ଅନୁଭୂତି ଆଜି ମଧ୍ୟ ତାଙ୍କ ପାଇଁ ଅମୂଲ୍ୟ ସମ୍ପଦ। ତାଙ୍କ ମତରେ, ଗାଁ ମାଟିର ପାଣିପବନ, ସାଧାରଣ ଜୀବନଶୈଳୀ ଓ ସହପାଠୀଙ୍କ ସହ ମିଳିମିଶି ବଢ଼ିବାର ଅନୁଭୂତି ତାଙ୍କୁ କେବଳ ଶିକ୍ଷାରେ ସଫଳ କରିନାହିଁ, ବରଂ ମଣିଷକୁ ମଣିଷ ଭାବେ ଦେଖିବାର ମାନବିକ ଦୃଷ୍ଟିକୋଣ ମଧ୍ୟ ପ୍ରଦାନ କରିଛି।ସଫଳତା କେବେ ଗୋଟିଏ ଦିନରେ ମିଳେନାହିଁ। ଏହା ପଛରେ ଥାଏ ଦୀର୍ଘଦିନର ଅଧ୍ୟବସାୟ, ନିରନ୍ତର ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଠା। ସୂର୍ଯ୍ୟ ବାବୁଙ୍କ ଶିକ୍ଷାଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ। କଟକର ପ୍ରତିଷ୍ଠିତ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍ ଡିଗ୍ରୀ ହାସଲ କରିବା ପରେ ବୁର୍ଲାସ୍ଥିତ ଭିଏସ୍‌ଏସ୍ ମେଡିକାଲ କଲେଜରୁ ଭେଷଜ ବିଜ୍ଞାନରେ ଏମ୍‌ଡି ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ଲକ୍ଷ୍ନୌସ୍ଥିତ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ସ୍ନାୟୁରୋଗ ଚିକିତ୍ସା ବିଜ୍ଞାନରେ ଡିଏମ୍ ଉଚ୍ଚତର ଶିକ୍ଷା ପାଇଁ ଅଧ୍ୟୟନ କରିଥିଲେ। ଏହି ଜାତୀୟସ୍ତରୀୟ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସେ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ତାଙ୍କ ଜୀବନର ଆଉ ଏକ ପ୍ରେରଣାଦାୟକ ଦିଗ ହେଉଛି, ସେ ପ୍ରତ୍ୟେକ ପରୀକ୍ଷାରେ ପ୍ରଥମ ହୋଇନଥିଲେ ମଧ୍ୟ କେବେ ମନୋବଳ ହରାଇନାହାନ୍ତି। ମାଟ୍ରିକ୍‌ରୁ ଆରମ୍ଭ କରି ଯୁକ୍ତଦୁଇ ବିଜ୍ଞାନ, ଏମ୍‌ବିବିଏସ୍ ଓ ଏମ୍‌ଡି ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷାରେ କେବେ ପ୍ରଥମ ଦଶଜଣଙ୍କ ମଧ୍ୟରେ, ତ କେବେ ପ୍ରଥମ କୋଡ଼ିଏ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। କିନ୍ତୁ ଏହାକୁ ନେଇ ନିରାଶ ନ ହୋଇ ପରବର୍ତ୍ତୀ ପରୀକ୍ଷା ପାଇଁ ଅଧିକ ଦୃଢ଼ ମନୋବଳ ଗଢ଼ିଥିଲେ। ତାଙ୍କ ଜୀବନଦର୍ଶନ ହେଉଛି, ନିଜକୁ କେବେ ନ୍ୟୁନ ମନେ କରିବା ଉଚିତ୍ ନୁହେଁ। ସକାରାତ୍ମକ ଚିନ୍ତନ, ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ହିଁ ସଫଳତାର ପ୍ରକୃତ ଚାବିକାଠି ସ୍ନାୟୁରୋଗ ବିଜ୍ଞାନରେ ଉଚ୍ଚତର ଗବେଷଣା ଓ ଅଧ୍ୟୟନ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିଲା। ବିଶେଷକରି ମୁଣ୍ଡବିନ୍ଧା ଓ ମାଇଗ୍ରେନ୍ ଚିକିତ୍ସା କ୍ଷେତ୍ରରେ ଉଚ୍ଚତର ଶିକ୍ଷା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ଆନ୍ତର୍ଜାତୀୟ ଫେଲୋସିପ୍ ପ୍ରବେଶିକା ପରୀକ୍ଷାରେ ସେ ଅସାଧାରଣ ସଫଳତା ହାସଲ କରିଥିଲେ। ବିଶ୍ୱର ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ପ୍ରତିଭାବାନ ଡାକ୍ତରଙ୍କ ମଧ୍ୟରେ ବିଶ୍ୱରେ ଦ୍ଵିତୀୟ ସ୍ଥାନ ଓ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଏହା ବ୍ୟତୀତ ସେ ରୟେଲ କଲେଜ୍ ଅଫ୍ ଫିଜିସିଆନ, ଇଉକେ ରୁ ଏପିଲେପ୍ସି ଉପରେ, ଇନରଭରସିଟି ଅଫ୍ ବ୍ରାଡଫୋର୍ଡ ରୁ ଡିମିନ୍ସିଆ ଉପରେ, ୟୁରୋଫ ରୁ ବ୍ରେନଷ୍ଟ୍ରୋକ ଉପରେ, ହାବର୍ଡ ମେଡିକାଲ ସ୍କୁଲ, ୟୁଏସଏ ରୁ ଆଡଭାନ୍ସ ନ୍ୟୁରୋଲୋଜି ମ୍ୟାନେଜମେଣ୍ଟ ଉପରେ ଅଧ୍ୟୟନ କରି ଫେଲୋସିପ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଏହା ହେଉଛି ଶିକ୍ଷାଜୀବନର ଅନ୍ୟତମ ଶ୍ରେଷ୍ଠ ସଫଳତା। ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ ପ୍ରତିଭାର ପରିଚୟ ନୁହେଁ, ବରଂ ଓଡ଼ିଶାର ମେଧା ଓ ପ୍ରତିଭାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ଏକ ଗୌରବମୟ ଉଦାହରଣ।ଉଚ୍ଚତର ଶିକ୍ଷା ଓ ଗବେଷଣା ପରେ ତାଙ୍କ ସମ୍ମୁଖରେ ଖୋଲିଯାଇଥିଲା ବିଦେଶର ପ୍ରତିଷ୍ଠିତ ହସ୍ପିଟାଲ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିବାର ଅନେକ ସୁଯୋଗ। ନ୍ୟୁୟର୍କ ହେଉ କି ନୂଆଦିଲ୍ଲୀ, ଦେଶ ଓ ବିଦେଶର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରୁ ତାଙ୍କ ପାଇଁ ଆସିଥିଲା ଆକର୍ଷଣୀୟ ନିଯୁକ୍ତି ପ୍ରସ୍ତାବ। ମାତ୍ର ଉଚ୍ଚ ବେତନ, ଆଧୁନିକ ଜୀବନଶୈଳୀ ଓ ବିଦେଶର ଆକର୍ଷଣ ତାଙ୍କୁ ନିଜ ମାଟିଠାରୁ ଦୂରେଇ ପାରିନଥିଲା। ନିଜ ଓଡ଼ିଶାକୁ ଫେରି ମାଟିର ମଣିଷଙ୍କ ସେବା କରିବାକୁ ସେ ଅଧିକ ପସନ୍ଦ କରିଥିଲେ। ନିଜ ଗାଁକୁ ସହଜରେ ଯାଇପାରିବେ ଏବଂ ଜନ୍ମମାଟି ସହ ସମ୍ପର୍କ ଅତୁଟ ରଖିପାରିବେ, ସେହି ଦୃଷ୍ଟିରୁ ଭୁବନେଶ୍ୱରକୁ ନିଜ କର୍ମକ୍ଷେତ୍ର ଭାବେ ବାଛିଥିଲେ। ଏଠାରେ ଚିକିତ୍ସା ସେବା ସହ ଶିକ୍ଷାଦାନ ଓ ଗବେଷଣାକୁ ଜୀବନର ଅବିଚ୍ଛେଦ୍ୟ ଅଂଶ କରିନେଇଛନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ନାୟୁରୋଗ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ଜଣେ ଦକ୍ଷ ସ୍ନାୟୁରୋଗ ବିଶେଷଜ୍ଞ ଭାବେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ସହ ନୂତନ ଡାକ୍ତର ଗଢ଼ିବା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ନିଜକୁ ସମର୍ପିତ କରିଛନ୍ତି। ତାଙ୍କ ମତରେ, ଜଣେ ଡାକ୍ତରଙ୍କ ଦାୟିତ୍ୱ କେବଳ ରୋଗ ଚିହ୍ନଟ ଓ ଚିକିତ୍ସାରେ ସୀମିତ ନୁହେଁ। ଜଣେ ଶିକ୍ଷକ ଭାବେ ନିଜ ଜ୍ଞାନକୁ ପରବର୍ତ୍ତୀ ପିଢ଼ି ପାଖରେ ପହଞ୍ଚାଇବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ନିଜେ ଯେତେ ଅଧିକ ଶିଖିବେ, ସେତେ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିପାରିବେ। ସେହି ଜ୍ଞାନ ଓ ଅଭିଜ୍ଞତା ଆଗାମୀ ଦିନରେ ଅନେକ ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ହୋଇପାରିବ। ବଡ଼ ପଦବୀ, ଉଚ୍ଚଶିକ୍ଷା ଓ ଆନ୍ତର୍ଜାତୀୟ ପରିଚୟ ତାଙ୍କ ବ୍ୟକ୍ତିତ୍ୱରେ କେବେ ଅହଂକାରର ଛାପ ପକାଇପାରିନାହିଁ। ଆଜି ମଧ୍ୟ ଗାଁକୁ ଗଲେ ସେ ସେହି ପିଲାଦିନର ସୂର୍ଯ୍ୟ। ସାଙ୍ଗସାଥୀଙ୍କ ସହ ମିଳାମିଶା, ଗାଁର ପର୍ବପର୍ବାଣୀ, ଦୋଳଯାତ୍ରା ଓ ଦଶହରାରେ ସାମିଲ ହେବା ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ।ବୟସ ମାତ୍ର ୩୮ ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ଭିତରେ ଆଜି ବି ଜୀବନ୍ତ ରହିଛି ସେହି କିଶୋରସୁଲଭ ସରଳତା, ଚଞ୍ଚଳତା ଓ ମନଖୋଲା ସ୍ୱଭାବ। ଧନୀ ହୁଅନ୍ତୁ କି ଗରିବ, ପାଠୁଆ ହୁଅନ୍ତୁ କି ଅପାଠୁଆ, ସାଙ୍ଗସାଥୀଙ୍କ ମଧ୍ୟରେ ସେ କୌଣସି ଭେଦଭାବ ଦେଖନ୍ତି ନାହିଁ। ସୁଯୋଗ ମିଳିଲେ ଆଜି ମଧ୍ୟ ସେମାନଙ୍କ ସହ ବସି ପଖାଳ ଖାଇବାକୁ ଭୁଲନ୍ତି ନାହିଁ। ଏହା ହିଁ ତାଙ୍କ ସରଳତା ଓ ମାଟି ପ୍ରତି ମମତାର ଏକ ସୁନ୍ଦର ପରିଚୟ ଗାଁରେ କୌଣସି ଜରୁରୀ ଖବର ପହଞ୍ଚିଲେ ନିଜର ବ୍ୟସ୍ତତାକୁ ପଛରେ ପକାଇ ସେ ଗାଁକୁ ଧାଇଁ ଆସନ୍ତି। ଗାଁ ଲୋକଙ୍କ ସୁଖଦୁଃଖରେ ଭାଗୀଦାର ହେବା, ଅସହାୟଙ୍କ ପାଖରେ ଠିଆ ହେବା ଓ ବିପଦ ସମୟରେ ସହଯୋଗର ହାତ ବଢ଼ାଇବା ତାଙ୍କ ସ୍ୱଭାବର ଏକ ଅଂଶ ପାଲଟିଛି। ଜଣେ ବିଶେଷଜ୍ଞ ଡାକ୍ତର ଭାବେ ତାଙ୍କର କାର୍ଯ୍ୟବ୍ୟସ୍ତତା ଅନେକ। ତଥାପି ନିଜ ଗାଁ ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ସେ ସମୟ ବାହାର କରିଥାଆନ୍ତି। ପ୍ରତି ରବିବାର ଗାଁକୁ ଆସି ରୋଗୀଙ୍କ ଚିକିତ୍ସା କରିବା ତାଙ୍କ ପାଇଁ କେବଳ ଏକ କାର୍ଯ୍ୟ ନୁହେଁ; ବରଂ ଏହା ତାଙ୍କ ଜୀବନର ଏକ ସେବାବ୍ରତ ଓ ଆତ୍ମସନ୍ତୋଷର ମାଧ୍ୟମ ବିଶେଷକରି ଗରିବ ଓ ଅସହାୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ଆବଶ୍ୟକ ସ୍ଥଳେ ଔଷଧ ଯୋଗାଇ ଦେବାରେ ସେ ଆନନ୍ଦ ଅନୁଭବ କରନ୍ତି। ରୋଗୀଙ୍କ ମୁହଁରେ ହସ ଫୁଟିଲେ ଯେଉଁ ଆତ୍ମସନ୍ତୋଷ ମିଳେ, ତାହା କୌଣସି ପଦପଦବୀ କିମ୍ବା ଆର୍ଥିକ ସଫଳତାଠାରୁ ଅଧିକ ମୂଲ୍ୟବାନ ବୋଲି ସେ ମନେ କରନ୍ତି। ତାଙ୍କ ଦୃଷ୍ଟିରେ ଗାଁର ଗରିବ ରୋଗୀଙ୍କ ପାଖରେ ଉନ୍ନତ ଚିକିତ୍ସା ସେବା ପହଞ୍ଚାଇବା ହିଁ ପ୍ରକୃତ ଡାକ୍ତରୀ ଧର୍ମ କରୋନା ମହାମାରୀ ସମୟରେ ମଧ୍ୟ ତାଙ୍କର ସେବା ମନୋଭାବ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ସେହି କଠିନ ସମୟରେ ଚିକିତ୍ସା ସେବାରେ ନିଜକୁ ସମର୍ପିତ କରିବା ସହ ତାଲାବନ୍ଦ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରିବାରେ ସେ ସକ୍ରିୟ ରହିଥିଲେ। ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ଜରିଆରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେବା ସହ ଲୋକଙ୍କୁ ସେହି କଠିନ ସମୟର ସାମ୍ନା କରିବାକୁ ସାହସ ଓ ଆତ୍ମବିଶ୍ୱାସ ଯୋଗାଇଥିଲେ। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଙ୍ଗସାଥୀଙ୍କୁ ନେଇ ରିଲିଫ୍ ବଣ୍ଟନ, ଗରିବ ଓ ଅସହାୟଙ୍କୁ ଖାଦ୍ୟ ସହାୟତା ଏବଂ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇବା ଭଳି କାର୍ଯ୍ୟରେ ସେ ନିଜକୁ ସାମିଲ କରିଛନ୍ତି। ନିୟମିତ ରକ୍ତଦାନକୁ ମଧ୍ୟ ସେ ନିଜ ଜୀବନର ଏକ ଧାରାବାହିକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି। କରୋନା ସମୟରେ ମଧ୍ୟ ଏଭଳି ମାନବିକ କାର୍ଯ୍ୟରୁ ସେ ଦୂରେଇ ରହିନଥିଲେ। ତାଙ୍କ ସେବା କାର୍ଯ୍ୟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ପ୍ରଚାରର ଆଡ଼ମ୍ବର ନାହିଁ। ନିରବରେ ସେବା କରିବା, ଆବଶ୍ୟକତା ଥିବା ମଣିଷ ପାଖରେ ପହଞ୍ଚିବା ଓ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବା ହିଁ ତାଙ୍କ ଜୀବନର ମୂଳମନ୍ତ୍ର। ଆଜି ରାଜ୍ୟରେ ଗୁଣାତ୍ମକ ଚିକିତ୍ସା ସେବାର ଉନ୍ନତି ପାଇଁ ଅଧିକ ଦକ୍ଷ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଆଉ ଦକ୍ଷ ଡାକ୍ତର ଗଢ଼ିବା ପାଇଁ ଆବଶ୍ୟକ ଦକ୍ଷ ଶିକ୍ଷକ। ଏହି ବାସ୍ତବତାକୁ ହୃଦୟଙ୍ଗମ କରି ସୂର୍ଯ୍ୟ ବାବୁ ଶିକ୍ଷାଦାନ, ଗବେଷଣା ଓ ଚିକିତ୍ସା ସେବାକୁ ସମାନ ଗୁରୁତ୍ୱ ଦେଇଆସୁଛନ୍ତି। ତାଙ୍କ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଜଟିଳ ଓ ବିରଳ ଚିକିତ୍ସା ପ୍ରକ୍ରିୟା ସମ୍ପନ୍ନ ହୋଇଛି। ନିଜ ବିଷୟରେ ଗବେଷଣା ଜାରି ରଖିବା ସହ ଛାତ୍ରଛାତ୍ରୀଙ୍କୁ ନୂତନ ଜ୍ଞାନ ଓ ଚିକିତ୍ସା ବିଜ୍ଞାନର ନୂତନ ଦିଗ ସହ ପରିଚିତ କରାଇବାକୁ ସେ ନିରନ୍ତର ପ୍ରୟାସ କରୁଛନ୍ତି। ତାଙ୍କର ବିଶ୍ୱାସ, ଜଣେ ଶିକ୍ଷକଙ୍କ ଶିକ୍ଷା କେବେ ଶେଷ ହୁଏନାହିଁ। ନିଜେ ଯେତେ ଅଧିକ ଶିଖିବେ, ସେତେ ଅଧିକ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିପାରିବେ। ସେହି ଜ୍ଞାନ ଆଗାମୀ ଦିନରେ ଅନେକ ରୋଗୀଙ୍କ ଜୀବନରେ ଆଶାର ଆଲୋକ ଆଣିପାରିବ। ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ଉଲ୍ଲେଖନୀୟ ଦିଗ ହେଉଛି ସାମାଜିକ ସଂଗଠନ ସହ ଜଡ଼ିତ ରହି ଜନସେବା କରିବାର ଆଗ୍ରହ। କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ନିଜ ଜନ୍ମମାଟି ମାହାଙ୍ଗାରେ ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେ ସମାଜସେବା ଜାରି ରଖିଛନ୍ତି। ସେ ମାହାଙ୍ଗା ସେବା ମଞ୍ଚର ସଭାପତି ଏବଂ ଉଦ୍ରା ଚାରିଟେବଲ୍ ଟ୍ରଷ୍ଟର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହି ସଂଗଠନଗୁଡ଼ିକ ଜରିଆରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ ସହ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମଧ୍ୟ ସେ ନିରନ୍ତର ପ୍ରୟାସ କରୁଛନ୍ତି। ଜଣେ ସଫଳ ଡାକ୍ତର, ଅଧ୍ୟାପକ ଓ ଗବେଷକ ହେବା ସହ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ସେ ସମାନ ଭାବେ ଗୁରୁତ୍ୱ ଦେଇଆସୁଛନ୍ତି। ଏହି ମନୋଭାବ ତାଙ୍କୁ କେବଳ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ନୁହେଁ, ବରଂ ଜଣେ ଦାୟିତ୍ୱସମ୍ପନ୍ନ ସାମାଜିକ ମଣିଷ ଭାବେ ପରିଚିତ କରାଇଛି। ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀଙ୍କ ଜୀବନର ସବୁଠାରୁ ବଡ଼ ଶିକ୍ଷା ହେଉଛି, ନିଜ ଲକ୍ଷ୍ୟ ପ୍ରତି ନିଷ୍ଠାବାନ ରହିଲେ ସଫଳତା ବିଳମ୍ବରେ ଆସିପାରେ, କିନ୍ତୁ ନିରନ୍ତର ପରିଶ୍ରମ କେବେ ବୃଥା ଯାଏନାହିଁ। ଗାଁର ଏକ ସାଧାରଣ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେବା ନିଶ୍ଚିତ ଭାବେ ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଆଶା ଓ ଆତ୍ମବିଶ୍ୱାସର ଉତ୍ସ ତାଙ୍କ ଜୀବନ ଆମକୁ ଶିଖାଏ ଯେ ବଡ଼ ହେବା ପାଇଁ ବଡ଼ ସହରରେ ଜନ୍ମ ହେବା କିମ୍ବା ଦାମୀ ବିଦ୍ୟାଳୟରେ ପଢ଼ିବା ଜରୁରୀ ନୁହେଁ। ଆବଶ୍ୟକ ହେଉଛି ଦୃଢ଼ ଇଚ୍ଛାଶକ୍ତି, ନିରନ୍ତର ଅଧ୍ୟବସାୟ, ଉପଯୁକ୍ତ ମାର୍ଗଦର୍ଶନ ଓ ନିଜ ମୂଳକୁ କେବେ ଭୁଲି ନଯିବାର ମାନସିକତା। ପରିଶେଷରେ କହିବାକୁ ଗଲେ, ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଶିବ ନାରାୟଣ ଚୌଧୁରୀଙ୍କ ଜୀବନ କେବଳ ଡାକ୍ତରୀ ଶିକ୍ଷା ଓ ବୃତ୍ତିଗତ ସଫଳତାର କାହାଣୀ ନୁହେଁ; ଏହା ନିଜ ମାଟି ପ୍ରତି ମମତା, ମଣିଷ ପ୍ରତି ଦାୟିତ୍ୱବୋଧ ଓ ନିଃସ୍ୱାର୍ଥ ସେବାର ଏକ ଜୀବନ୍ତ ଉଦାହରଣ। ବିଶ୍ୱର ଜ୍ଞାନ ଓ ଅଭିଜ୍ଞତାକୁ ନିଜ ରାଜ୍ୟର ମାଟିରେ ବିନିଯୋଗ କରିବାର ତାଙ୍କ ମାନସିକତା ଆଜିର ଯୁବପିଢ଼ି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା। ଜୀବନର ପ୍ରକୃତ ସଫଳତା କେବଳ ଉଚ୍ଚ ପଦବୀ, ଡିଗ୍ରୀ, ଧନସମ୍ପତ୍ତି କିମ୍ବା ବିଶ୍ୱସ୍ତରୀୟ ପରିଚୟରେ ନୁହେଁ; ବରଂ ନିଜ ସଫଳତାର ସୁଫଳକୁ ସମାଜର ଶେଷ ଧାଡ଼ିରେ ଥିବା ମଣିଷ ପାଖରେ ପହଞ୍ଚାଇବାରେ ରହିଛି। ସେହି ଦୃଷ୍ଟିରୁ ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀଙ୍କ ଜୀବନଯାତ୍ରା ଏକ ଅନୁକରଣୀୟ ଉଦାହରଣ। ଯଦି ପ୍ରତ୍ୟେକ ସଫଳ ପ୍ରବାସୀ ଯୁବକଯୁବତୀଙ୍କ ମନରେ ନିଜ ଜନ୍ମମାଟି ପ୍ରତି ଏଭଳି ଅନୁରାଗ, ସାମାଜିକ ଦାୟିତ୍ୱବୋଧ ଓ ସେବାର ଭାବନା ଜାଗ୍ରତ ହୁଏ, ତେବେ ଗାଁର ଚିତ୍ର ବଦଳିବା ସହ ଓଡ଼ିଶାର ବିକାଶର ଏକ ନୂତନ ଅଧ୍ୟାୟ ଲେଖା ଯାଇପାରିବ। ପ୍ରକୃତରେ, ସଫଳତାର ଶିଖରରେ ପହଞ୍ଚିବା ବଡ଼ କଥା ନୁହେଁ; ସେହି ଶିଖରରେ ରହି ନିଜ ମାଟିକୁ ମନେ ରଖିବା ହିଁ ମଣିଷର ମହାନତା।

Digital Griot