ପ୍ରଭୁ ନୃସିଂହଙ୍କ ସେବାରେ ସମର୍ପିତ ପୁରୁଷୋତ୍ତମ

(ସାଧାରଣ ପର୍ଯ୍ୟବେକ୍ଷକରୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ୩୬ ବର୍ଷର ନିଷ୍ଠା ଓ ବିଶ୍ୱାସର ଅନନ୍ୟ କାହାଣୀ )

ମଣିଷ ଜୀବନରେ ଅନେକ ସମୟରେ କିଛି ଘଟଣା ଏପରି ଘଟିଥାଏ, ଯାହା ତାକୁ ଏକ ନୂଆ ପରିଚୟ ଦେବା ସହିତ ଜୀବନର ଗତିପଥକୁ ବଦଳାଇ ଦେଇଥାଏ। କେହି ନିଜ କର୍ମକୁ ନେଇ ପରିଚିତ ହୁଅନ୍ତି ତ ଆଉ କେହି ନିଜର ନିଷ୍ଠା, ତ୍ୟାଗ ଓ ନିରନ୍ତର ସେବା ମାଧ୍ୟମରେ ଅନ୍ୟମାନଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରନ୍ତି। ଏଭଳି ଜଣେ ନିଷ୍ଠାପର, କର୍ମଠ ଓ ଈଶ୍ୱରବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ପୁରୁଷୋତ୍ତମ ପ୍ରଧାନ। ଯାହାଙ୍କ ଜୀବନର ଦୀର୍ଘ ଯାତ୍ରା ଆଜି ପ୍ରଭୁ ନୃସିଂହନାଥଙ୍କ ସେବା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସୁଦୂର ବୌଦ୍ଧ ଜିଲ୍ଲାର ମଥୁରା ଗ୍ରାମରୁ ନୃସିଂହନାଥ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଯେତିକି ରୋଚକ, ସେତିକି ଭାବପ୍ରବଣ ମଧ୍ୟ। ଜୀବନର ସଂଘର୍ଷ, ପାରିବାରିକ ସୁଖଦୁଃଖ, ଅସୀମ ଧୈର୍ଯ୍ୟ ଓ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସର ଏକ ନିଆରା କାହାଣୀ ତାଙ୍କ ଜୀବନରେ ଲୁଚି ରହିଛି। ଜଣେ ସାମ୍ବାଦିକ ଭାବରେ ଏହି ନିଆରା ମଣିଷଙ୍କ ଜୀବନ କାହାଣୀ ଜାଣିବା ପାଇଁ ତାଙ୍କ ସହିତ ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା କରିବାର ସୁଯୋଗ ମିଳିଥିଲା। ଆଲୋଚନା ସମୟରେ ସେ ନିଜ ଜୀବନର ଗୋଟିଏ ପରେ ଗୋଟିଏ ଘଟଣା ବଖାଣୁଥିବା ବେଳେ ଅନେକ ସମୟରେ ମୁଁ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲି। ସାମ୍ବାଦିକତା ଜୀବନରେ ଅନେକ ବ୍ୟକ୍ତିଙ୍କ ସଫଳତା ଓ ସଂଘର୍ଷର କାହାଣୀ ଲେଖିଛି, କିନ୍ତୁ ପୁରୁଷୋତ୍ତମ ବାବୁଙ୍କ ଜୀବନକାହାଣୀ ମୋତେ ସବୁଠାରୁ ନିଆରା ଲାଗିଲା।

୧୯୯୦ ମସିହା। ବୟସ ମାତ୍ର ୨୨ ବର୍ଷ। ଚାକିରି ଅନ୍ୱେଷଣରେ ସେ ପହଞ୍ଚିଥିଲେ ନୃସିଂହନାଥ। ସେଠାରେ ପ୍ରଭୁଙ୍କ କୃପାରୁ ଜଣେ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଲା। ଏକ ଚାକିରି ମିଳିଯାଇଥିବାରୁ ସେ ଖୁବ୍ ଖୁସି ହୋଇଥିଲେ। ମନେ ମନେ ଭାବିଥିଲେ ଏହା ନିଶ୍ଚିତ ଭାବରେ ନୃସିଂହ ମହାପ୍ରଭୁଙ୍କ ଆଶୀର୍ବାଦ। ସେହି ଦିନ ହିଁ ମନ ମଧ୍ୟରେ ଏକ ସଂକଳ୍ପ ନେଇଥିଲେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରଭୁ ନୃସିଂହଙ୍କ ସେବା କରିବି। ସମୟ ଗଡ଼ିବା ସହିତ ତାଙ୍କର କର୍ମନିଷ୍ଠା ଓ ଦାୟିତ୍ୱବୋଧ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ୧୭ ମେ ୨୦୦୨ ମସିହାରେ ତାଙ୍କୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ମିଳିଥିଲା। ଜଣେ ସାଧାରଣ ପର୍ଯ୍ୟବେକ୍ଷକରୁ ମନ୍ଦିରର ସର୍ବପ୍ରମୁଖ ପ୍ରଶାସନିକ ଦାୟିତ୍ୱରେ ପହଞ୍ଚିବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଥିଲା। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ମନ୍ଦିରକୁ ଯାଇ ପ୍ରଭୁଙ୍କ ଚରଣରେ ମୁଣ୍ଡିଆ ମାରିଥିଲେ। ସେହିଦିନଠାରୁ ମନ୍ଦିରର ଉନ୍ନତି, ପରିଚାଳନା ଓ ଭକ୍ତଙ୍କ ସୁବିଧା ତାଙ୍କ ଜୀବନର ପ୍ରମୁଖ ଲକ୍ଷ୍ୟ ପାଲଟିଗଲା ।

ଜୀବନର ସବୁ ସମୟ କେବଳ ସୁଖ ଦିଏ ନାହିଁ। ପୁରୁଷୋତ୍ତମ ବାବୁଙ୍କ ଜୀବନରେ ମଧ୍ୟ ଏପରି ଏକ ସମୟ ଆସିଥିଲା, ଯାହା ତାଙ୍କୁ ମାନସିକ ଭାବରେ ବେଶ୍ ଦୁଃଖିତ କରିଥିଲା ୧୯୯୩ ମସିହାରେ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ପ୍ରାୟ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରରେ ସନ୍ତାନ ସୁଖ ମିଳିନଥିଲା। ଅନେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ବିଭିନ୍ନ ଚିକିତ୍ସା କରାଇଥିଲେ। ଅନେକଙ୍କ ପରାମର୍ଶରେ ବିଭିନ୍ନ ଉପଚାର ମଧ୍ୟ କରିଥିଲେ। ତଥାପି ଆଶା ପୂରଣ ହେଉନଥିଲା। ଏହି ସମୟରେ ଦିନେ ରାତିରେ ସେ ଏକ ସ୍ୱପ୍ନ ଦେଖିଥିଲେ। ତାଙ୍କ କହିବା ଅନୁସାରେ, ସ୍ୱପ୍ନରେ ପ୍ରଭୁ ନୃସିଂହ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଅନ୍ୟ କେଉଁଠିକୁ ଯିବା ଦରକାର ନାହିଁ, ମୋ ଉପରେ ବିଶ୍ୱାସ ରଖ। ପରଦିନ ସକାଳୁ ସେ ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ମାନସିକ କରିଥିଲେ। ପୁତ୍ର ସନ୍ତାନ ବଦଳରେ ତାଙ୍କୁ ଏକ କନ୍ୟା ସନ୍ତାନ ଦେବା ପାଇଁ ପ୍ରାର୍ଥନା କରିଥିଲେ। ବର୍ଷେ ପରେ ତାଙ୍କ ଘରକୁ ଏକ କନ୍ୟା ସନ୍ତାନର ଆଗମନ ହୋଇଥିଲା। ଏହା ତାଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସକୁ ଆହୁରି ଦୃଢ଼ କରିଥିଲା। ପରବର୍ତ୍ତୀ ସମୟରେ ଆଉ ଦୁଇଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ତିନି କନ୍ୟାରତ୍ନଙ୍କୁ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିଲେ। ଝିଅମାନଙ୍କୁ ଉଚ୍ଚଶିକ୍ଷିତା କରିବା ପାଇଁ ସେ ସଂକଳ୍ପ ନେଇଥିଲେ।

ଆଜି ତାଙ୍କର ବଡ଼ ଝିଅ ଜଣେ ଡାକ୍ତର, ମଝିଆ ଝିଅ ଓକିଲାତି କରୁଥିବା ବେଳେ ସାନ ଝିଅ ମଧ୍ୟ ଆଇନ ଶିକ୍ଷା ଗ୍ରହଣ କରୁଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ୨୦୨୩ ଅଗଷ୍ଟ ମାସରେ ହଠାତ୍ ସାନ ଝିଅଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଘଟଣା ପୁରୁଷୋତ୍ତମ ବାବୁଙ୍କ ଜୀବନରେ ଏକ ଗଭୀର ଶୂନ୍ୟତା ସୃଷ୍ଟି କରିଥିଲା। ଆଲୋଚନା ସମୟରେ ଏହି ଘଟଣା ବଖାଣୁଥିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଉଥିଲା। ଏପରି ଦୁଃଖଦ ସମୟରେ ପତ୍ନୀ ଓ ଅନ୍ୟ ଦୁଇ ଝିଅ ତାଙ୍କୁ ସାହସ ଓ ସାନ୍ତ୍ୱନା ଦେଇଥିଲେ। ଧୀରେ ଧୀରେ ସେ ନିଜକୁ ସମ୍ଭାଳିଥିଲେ ଏବଂ ଜୀବନର ଏହି କଠିନ ସତ୍ୟକୁ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ଜୀବନର ଆଉ ଏକ ରୋମାଞ୍ଚକର ଘଟଣା ହେଉଛି ୧୯୯୯ ମସିହାର। ଏହି ଘଟଣା ବର୍ଣ୍ଣନା କରିବା ସମୟରେ ମଧ୍ୟ ତାଙ୍କ ମୁହଁରେ ସେହି ଦିନର ଭୟର ଛାପ ସ୍ପଷ୍ଟ ଦେଖାଯାଉଥିଲା। ସେଦିନ ସନ୍ଧ୍ୟାରେ ଘଡ଼ଘଡ଼ି, ବିଜୁଳି ଓ ପ୍ରବଳ ପବନ ସହିତ ମୂଷଳଧାରାରେ ବର୍ଷା ହେଉଥିଲା। ରାତି ପ୍ରାୟ ୯ଟା ବେଳକୁ ବର୍ଷା ଟିକେ କମିବା ପରେ ସେ ମନ୍ଦିରରୁ ବାହାରି ଜର୍ଜଗଡ଼ ଗ୍ରାମସ୍ଥିତ ନିଜ ବାସଭବନକୁ ଯାଉଥିଲେ। ହଠାତ୍ ରାସ୍ତାରେ ତାଙ୍କ ମୋଟରସାଇକେଲ ପଞ୍ଚର ହୋଇଯାଇଥିଲା। ଚାରିଆଡ଼େ ଘନ ଅନ୍ଧକାର। ସେ ବାଧ୍ୟ ହୋଇ ମୋଟରସାଇକେଲକୁ ଠେଲି ଠେଲି ଆଗକୁ ଯାଉଥିଲେ। ଏହି ସମୟରେ ଫରେଷ୍ଟ ଆଇବି ନିକଟରେ ରାସ୍ତାକଡ଼ରେ ଏକ ଚିତାବାଘକୁ ଠିଆ ହୋଇଥିବା ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ। ଚାରିଆଡ଼େ ନିର୍ଜନତା, ରାତିର ଅନ୍ଧକାର ଓ ସାମ୍ନାରେ ଚିତାବାଘ। ସେହି ମୁହୂର୍ତ୍ତରେ ତାଙ୍କ ମନରେ କେବଳ ପ୍ରଭୁ ନୃସିଂହଙ୍କ ନାମ ହିଁ ଆସିଥିଲା। ସେ ଆଖି ବନ୍ଦ କରି ପ୍ରଭୁଙ୍କୁ ସ୍ମରଣ କରିଥିଲେ। ତାଙ୍କ କହିବା ଅନୁଯାୟୀ ସେହି ସମୟରେ ହଠାତ୍ ବିଦ୍ୟୁତ୍ ଆଲୋକ ଆସିଥିଲା। ଆଖି ଖୋଲି ଦେଖିବା ବେଳକୁ ଚିତାବାଘଟି ସେଠାରୁ ଚାଲିଯାଇଥିଲା। ଏହି ଘଟଣାକୁ ସେ ଆଜି ମଧ୍ୟ ପ୍ରଭୁଙ୍କ ଅପାର କୃପା ଭାବରେ ମନେ କରନ୍ତି।

କରୋନା ମହାମାରୀ ସମୟ ସମଗ୍ର ବିଶ୍ୱ ପାଇଁ ଏକ କଠିନ ପରୀକ୍ଷାର ସମୟ ଥିଲା। ମନ୍ଦିରକୁ ଭକ୍ତଙ୍କ ଆଗମନ ବନ୍ଦ ହୋଇଯାଇଥିଲା। ଦୀର୍ଘ ସମୟ ଧରି ମନ୍ଦିରର ଆୟ ପ୍ରାୟ ଶୂନ୍ୟ ହୋଇଯାଇଥିଲା। ଅନ୍ୟପଟେ ମନ୍ଦିରର ପ୍ରାୟ ୬୦ ଜଣ କର୍ମଚାରୀଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ଥିଲା।ଏପରି କଠିନ ପରିସ୍ଥିତିରେ ମଧ୍ୟ ସେ ଧୈର୍ଯ୍ୟ ହରାଇ ନଥିଲେ। ତାଙ୍କ କହିବା ଅନୁସାରେ, ପ୍ରଭୁଙ୍କ କୃପାରୁ ଏହି ସମୟରେ ମନ୍ଦିର ପରିଚାଳନାରେ କୌଣସି ବଡ଼ ଅସୁବିଧା ହୋଇନଥିଲା। ସେ ସବୁବେଳେ ଗୋଟିଏ କଥା କହନ୍ତି ଯାହା ହେବ, ତାହା ପ୍ରଭୁଙ୍କ ଇଚ୍ଛା। ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେଉଥିବା ନୃସିଂହନାଥ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ। ବର୍ଷର ବିଭିନ୍ନ ସମୟରେ ଏଠାରେ ଅନେକ ପର୍ବପର୍ବାଣୀ ଓ ଯାତ୍ରା ଆୟୋଜିତ ହୋଇଥାଏ। ବୈଶାଖ ମେଳା ଓ ନୃସିଂହ ଚତୁର୍ଦ୍ଦଶୀ, ରଥଯାତ୍ରା, ବାହୁଡ଼ାଯାତ୍ରା, ଶ୍ରାବଣ ଅଭିଷେକ, ଗମ୍ଭାପୂର୍ଣ୍ଣିମା, ରକ୍ଷାବନ୍ଧନ, ଅକ୍ଷୟ ତୃତୀୟା, ନୂଆଁଖାଇ, ଗଣେଶ ପୂଜା, ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର, ମାଘ ମେଳା, ଦୋଳପୂର୍ଣ୍ଣିମା, ଚୈତ୍ର ପୂଜା ଓ ମକର ସଂକ୍ରାନ୍ତି ଆଦି ପର୍ବ ଏଠାରେ ପାଳିତ ହୁଏ। ଶ୍ରାବଣ ମାସରେ ଲକ୍ଷାଧିକ କାଉଡ଼ିଆଙ୍କ ଆଗମନ ମଧ୍ୟ ଏହି ପୀଠର ଧାର୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ। ଏହି ସମସ୍ତ ଯାତ୍ରା ଓ ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ଏକ ବଡ଼ ଦାୟିତ୍ୱ। ଦୀର୍ଘ ୨୪ ବର୍ଷ ଧରି ଏହି ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇ ଆସୁଛନ୍ତି ପୁରୁଷୋତ୍ତମ ପ୍ରଧାନ।

ବିଶେଷକରି ବୈଶାଖ ମେଳା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ସତ୍ତ୍ୱେ ଶୃଙ୍ଖଳିତ ପରିଚାଳନା ଉପରେ ସେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି। ତାଙ୍କ ମତରେ, ପ୍ରଭୁ ନୃସିଂହଙ୍କ ଆଶୀର୍ବାଦ ଯୋଗୁଁ ଏତେ ବଡ଼ ଜନସମାଗମ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ବଡ଼ ଅଘଟଣ ଘଟିନାହିଁ। ପୁରୁଷୋତ୍ତମ ବାବୁଙ୍କ ବ୍ୟକ୍ତିତ୍ୱର ଆଉ ଏକ ବିଶେଷ ଦିଗ ହେଉଛି ତାଙ୍କର ସରଳତା ଓ ମାନବିକତା। ତାଙ୍କ ପାଇଁ ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ସମାନ। ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ସାଧାରଣ ଜନତା ସମସ୍ତଙ୍କୁ ସେ ସମାନ ଗୁରୁତ୍ୱ ଦେଇଥାନ୍ତି । କେବଳ ମଣିଷ ନୁହେଁ, ମନ୍ଦିର ପରିସରରେ ରହୁଥିବା ମାଙ୍କଡ଼ମାନଙ୍କ ପ୍ରତି ମଧ୍ୟ ତାଙ୍କର ଅନାବିଳ ସ୍ନେହ ରହିଛି। କରୋନା ସମୟରେ ଯେତେବେଳେ ମନ୍ଦିର ପରିସର ଜନଶୂନ୍ୟ ହୋଇପଡ଼ିଥିଲା ଓ ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଥିଲା, ସେତେବେଳେ ପ୍ରତିଦିନ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରୁଥିଲେ। ଏହା ତାଙ୍କର କେବଳ ଭକ୍ତି ନୁହେଁ, ବରଂ ସମସ୍ତ ଜୀବଙ୍କ ପ୍ରତି ଥିବା ମମତାର ଏକ ସୁନ୍ଦର ଉଦାହରଣ। ନୃସିଂହନାଥ ମନ୍ଦିରର ଉନ୍ନତି ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଧୀରେ ଧୀରେ ମନ୍ଦିରର ଅନେକ କ୍ଷେତ୍ରରେ ଉନ୍ନତି ହୋଇଛି। ତଥାପି ଆହୁରି ଅନେକ କାମ କରିବାର ଆବଶ୍ୟକତା ରହିଛି। ବିଶେଷକରି ପାଇକମାଲ ଛକ ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ସହିତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଗଲେ ଭକ୍ତ ଓ ପର୍ଯ୍ୟଟକମାନେ ବହୁତ ଉପକୃତ ହୋଇପାରିବେ।

ତେବେ ତାଙ୍କ ମନରେ ରହିଛି ଆଉ ଏକ ବଡ଼ ସ୍ୱପ୍ନ। ଚାକିରି ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ନୃସିଂହନାଥଠାରେ ଏକ ଅତ୍ୟାଧୁନିକ ଭକ୍ତନିବାସ ନିର୍ମାଣ ହେଉ, ଯେଉଁଠାରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଉତ୍ତମ ରହଣି ଓ ଆବଶ୍ୟକ ସୁବିଧା ପାଇପାରିବେ। ଏହା ହେଉଛି ତାଙ୍କର ଅନ୍ତରର ଇଚ୍ଛା।ସାକ୍ଷାତ୍‌କାରର ଶେଷ ପର୍ଯ୍ୟାୟରେ ତାଙ୍କୁ ଯେତେବେଳେ ପଚରାଗଲା ଯେ, ଚାକିରି ଜୀବନ ସରିବା ପରେ ତାଙ୍କର ଆଗାମୀ ଯୋଜନା କ’ଣ? ସେତେବେଳେ ତାଙ୍କ ଉତ୍ତର ଥିଲା ଖୁବ୍ ସରଳ, କିନ୍ତୁ ଗଭୀର ଅର୍ଥପୂର୍ଣ୍ଣ। ସେ କହିଥିଲେ, “ମୋର ଚାକିରି କାଳ ଦିନେ ନା ଦିନେ ଶେଷ ହୋଇଯିବ। କିନ୍ତୁ ମୋର ସେବା ମନୋଭାବ କେବେ ଶେଷ ହେବ ନାହିଁ। ଯେତେଦିନ ବଞ୍ଚିଥିବି, ପ୍ରଭୁ ନୃସିଂହଙ୍କ ସେବା କରିବି। ମୋ ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି ଭଗବାନ ଓ ତାଙ୍କ ଭକ୍ତଙ୍କ ସେବା କରିବା। ଏହି ସୁଯୋଗ ମୋତେ ଜୀବନର ଶେଷ ପର୍ଯ୍ୟନ୍ତ ମିଳୁ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।” ବାସ୍ତବରେ ଚାକିରି କେବଳ ଜୀବିକା ନିର୍ବାହର ଏକ ମାଧ୍ୟମ ହୋଇପାରେ, କିନ୍ତୁ ଯେତେବେଳେ କର୍ମ ନିଷ୍ଠା, ଭକ୍ତି ଓ ମାନବିକତାରେ ପରିଣତ ହୁଏ, ସେତେବେଳେ ତାହା ଏକ ସାଧନାର ରୂପ ନିଏ। ପୁରୁଷୋତ୍ତମ ପ୍ରଧାନଙ୍କ ଜୀବନ ଏହାର ଏକ ସୁନ୍ଦର ଉଦାହରଣ। ପଦପଦବୀ ଓ କ୍ଷମତା ଅପେକ୍ଷା ସେବାକୁ ଜୀବନର ବଡ଼ ପରିଚୟ କରିଥିବା ଏହି ମଣିଷଙ୍କ କାହାଣୀ ନିଶ୍ଚିତ ଭାବରେ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। କାରଣ ତାଙ୍କ ପାଇଁ ନୃସିଂହନାଥ କେବଳ ଏକ କର୍ମକ୍ଷେତ୍ର ନୁହେଁ, ଏହା ତାଙ୍କର ଆସ୍ଥା, ଆତ୍ମୀୟତା ଓ ସମଗ୍ର ଜୀବନର ଅବିଚ୍ଛେଦ୍ୟ ଅଂଶ।ସତରେ, କେତେକ ଲୋକ ଚାକିରି କରନ୍ତି, ଆଉ କେତେକ ଲୋକ ନିଜ ଚାକିରିକୁ ସେବା ଓ ସାଧନାରେ ପରିଣତ କରିଦିଅନ୍ତି। ପୁରୁଷୋତ୍ତମ ପ୍ରଧାନ ସେହି ଦ୍ୱିତୀୟ ଶ୍ରେଣୀର ଜଣେ ଅନନ୍ୟ ବ୍ୟକ୍ତିତ୍ୱ।

ରିପୋର୍ଟ : ସୁଶାନ୍ତ ପଣ୍ଡା

Digital Griot