କିଟରେ ବ୍ଲୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ‘ଏମ୍‍ପାୱାରିଂ ସଷ୍ଟେନେବଲ୍‍ ଗ୍ରୋଥ ଥ୍ରୁ ମେରାଇନ୍‍ ଇକୋସିଷ୍ଟମ୍‍’ ବିଷୟବସ୍ତୁକୁ ନେଇ କିଟ୍‍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି। ଭାରତର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ, ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍‍ସେସ୍‍, ଆଇଆଇଟି ରୋପର, ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‍ କାଉନ୍‍ସିଲ୍‍, ବିଜ୍ଞାନ ଭାରତୀ, କିଟ୍‍ ବିଶ୍ୱବିଦ୍ୟାଳୟ, କିଟ୍‍ ସ୍କୁଲ୍‍ ଅଫ୍‍ ବାୟୋଟେକ୍ନୋଲୋଜି, ଭୁବନେଶ୍ୱର ସିଟି ନଲେଜ୍‍ ଇନୋଭେସନ୍‍ କ୍ଲଷ୍ଟର ଫାଉଣ୍ଡେସନ୍‍ (ବିସିକେଆଇସି)ର ମିଳିତ ଆନୁକୂଲ୍ୟରେ ୨୩ ଓ ୨୪ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ।

ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରି, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭାରତର ସାମୁଦ୍ରିକ ଅର୍ଥନୈତିକ ଦୃଷ୍ଟିକୋଣରେ ରାଜ୍ୟର ରଣନୀତି ଉପରେ ଆଲୋକପାତ କରିଥିଲେ। ସେ କହିଲେ, ଓଡ଼ିଶାର ବିସ୍ତୃତ ଉପକୂଳ ଥିବାରୁ ଭାରତର ସାମୁଦ୍ରିକ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଏହା ସହିତ ରାଜ୍ୟରେ ସାମୁଦ୍ରିକ ପର୍ଯ୍ୟଟନ ବିକାଶ ଦିଗରେ ଯଥେଷ୍ଟ ସମ୍ଭାବନା ରହିଥିବା ଶ୍ରୀମତୀ ପରିଡ଼ା କହିଥିଲେ।ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଡ ରାଜେଶ ଗୋଖଲେ ବିକଶିତ ଭାରତ ପାଇଁ ବାୟୋ-ଇନୋଭେସନ୍‍ ଉପରେ ଗୁରୁତ୍ୱାରୋପ କରି କହିଲେ, ସାମୁଦ୍ରିକ ସଂପଦର ଉପଯୋଗ ଯୋଗୁଁ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବ। ସେ କହିଲେ, ମତ୍ସ୍ୟଜୀବୀ, ପର୍ଯ୍ୟଟନ ଏବଂ ଜୈବ ପ୍ରଯୁକ୍ତିବିଦ୍ୟାକୁ ନେଇ ସାମୁଦ୍ରିକ ପରିସଂସ୍ଥା ଏକ ଅର୍ଥନୈତିକ ଇଞ୍ଜିନ ଭାବେ କାର୍ଯ୍ୟ କରୁଛି।

ଭାରତ ସରକାରଙ୍କ ସାଇନ୍‍ଟିଫିକ୍‍ ସଚିବ ଡ. ପରମିନ୍ଦର ମୈନି ଏବଂ ବ୍ରିକ-ଆଇଏଲଏସର ନିର୍ଦ୍ଦେଶକ ଡ ଦେବାଶିଷ ଦାଶ ଏବଂ କିଟ୍‍ର ଗବେଷଣା ଓ ସର୍ଜନା ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ମଧ୍ୟ ସାମୁଦ୍ରିକ ଅର୍ଥନୀତି ସୁଯୋଗ ଉପରେ ସେମାନଙ୍କର ମତ ରଖିଥିଲେ। ଏହା ସହିତ ସେମାନେ ଜୈବ ପ୍ରଯୁକ୍ତିବିଦ୍ୟାର ବିକାଶଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସହଯୋଗର ପ୍ରୋତ୍ସାହନ ଉପରେ ମତ ରଖିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନତ ଜୀବିକା ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସାମୁଦ୍ରିକ ଅର୍ଥନୀତିର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। “ବ୍ଲୁ-ଇକୋନୋମୀରେ ମତ୍ସ୍ୟଚାଷ, ଜଳକୃଷି ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ଏହି ସମ୍ମିଳନୀ ସାମୁଦ୍ରିକ ସଂପଦକୁ ସ୍ଥାୟୀ ଭାବରେ ବ୍ୟବହାର କରି ଭାରତର ନିଜସ୍ୱ ଅଭିବୃଦ୍ଧି ମଡେଲକୁ ଗଠନ କରିବା ଉପରେ ଶ୍ରୀ ସାମନ୍ତ ଗୁରୁତ୍ୱାରୋପ କରିଥିଲେ।

ସାମୁଦ୍ରିକ ସମ୍ବଳର ଅର୍ଥନୈତିକ ସୁବିନିଯୋଗ ଦିଗରେ ଅଧିକ ଗବେଷଣା କରାଯିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ନୀତି ନିର୍ଦ୍ଧାରକ, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୮୦୦ ରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଜଳକୃଷି ଏବଂ ପର୍ଯ୍ୟଟନ କ୍ଷେତ୍ରର ବିଶେଷଜ୍ଞ ୫୦ଟି ଷ୍ଟାର୍ଟଅପ୍ କଂପାନୀ ପ୍ରଦର୍ଶିତ ହୋଇଥିଲା।

Digital Griot