ରତ୍ନଭଣ୍ଡାରରେ ଅଛି ଅଳଙ୍କାର ସହ ଯୁଦ୍ଧାସ୍ତ୍ର
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ଗଚ୍ଛିତ ଅଛି ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ। ଯେଉଁଥିରେ ତେଣ୍ଟା ଓ ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର ରହିଛି। ଗୁରୁବାର ମହାପ୍ରଭୁ ଜଗନ୍ନାଥଙ୍କ ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଆଜି ଏଭଳି ଆଚମ୍ବିତ କଲାଭଳି ତଥ୍ୟ ଦେଇଛନ୍ତି ଖୋଦ ରତ୍ନଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ।
ଜଷ୍ଟିସ୍ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଛି। ସେଥିରେ କେତେକ ତେଣ୍ଟା ବର୍ଛା ଆଦି ଥିବା ଦେଖିବାକୁ ମିଳିଛି। ତେବେ ସେ ଅସ୍ତ୍ରଶସ୍ତ୍ର ଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ତିଆରି ଜଣାପଡ଼ିନି। ସେଗୁଡ଼ିକୁ ସିଲ କରାଯାଇ ଅସ୍ଥାୟୀ ଭଣ୍ଡାରରେ ରଖାଯାଇଛି। ଏଥିସହ ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ରତ୍ନଭଣ୍ଡାରରେ ମୁକୁଟ ଅଛି। ହେଲେ କେତେଟା ମୁକୁଟ ଅଛି? ତାହା କେଉଁ ରାଜାମାନଙ୍କର ? ସେ ଗୁମର କିନ୍ତୁ ଖୋଲିଲେନି। କେବଳ ଚୁମ୍ବକରେ ଏତିକି ସୂଚନା ଦେଇଛନ୍ତି ଯେ, ମୁକୁଟଗୁଡ଼ିକୁ ପୂର୍ବ ଗଣତି ବେଳେ ନମ୍ବରିଂ କରାଯାଇଛି।