Live Odisha Tv

ଡାକ୍ତରଙ୍କ ଦୁଷ୍କର୍ମ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ

କୋଲକାତା : କୋଲକାତାର ଆରଜି କର ହସ୍ପିଟାଲ୍‌ରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଦ୍ବିତୀୟ ଦିନରେ ଗୁରୁବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି।  ଗତ ଶୁଣାଣିରେ କୋର୍ଟଙ୍କ ଠାରୁ ମିଳିଥିବା ନ‌ିର୍ଦ୍ଦେଶ ଅନୁଯାଇ ଆଜି ସିବିଆଇ ଓ ପଶ୍ଚିମବଙ୍ଗ ସରକାର ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଡିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଗତ ଶୁଣାଣିରେ କୋର୍ଟ ପଶ୍ଚିମବଙ୍ଗ ସରକାର ଓ ପୁଲିସକୁ ଅଗଷ୍ଟ ୧୪ରେ ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ମାମଲା ପରିଚାଳନା ଏବଂ ଡାକ୍ତରଖାନାରେ ଘଟିଥିବା ଭଙ୍ଗାରୁଜା ପରିଚାଳନାରେ ଅନେକ ତ୍ରୁଟିକୁ ନେଇ ପ୍ରଶ୍ନ କରିଥିଲେ। ଆରଜି କର ମେଡିକାଲ କଲେଜ ହସ୍ପିଟାଲ ଓ ହଷ୍ଟେଲକୁ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ସିଆଇଏସଏଫକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଡାକ୍ତରୀ ବୃତ୍ତିଜୀବୀଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟ ସ୍ଥିତିର ଅଭାବ ସହିତ ଜଡିତ ବ୍ୟବସ୍ଥାଗତ ସମସ୍ୟାର ମୁକାବିଲା ପାଇଁ କୋର୍ଟ ନ୍ୟାସନାଲ ଟାସ୍କ ଫୋର୍ସ ମଧ୍ୟ ଗଠନ କରିଛନ୍ତି।

ମୃତ ମହିଳା ଡାକ୍ତରଙ୍କ ନାମ, ଫଟୋ ଓ ଭିଡିଓ ହଟାଇବା ପାଇଁ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ଆଇଟି ମନ୍ତ୍ରଣାଳୟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କହିଛି। ଆଇଟି ମନ୍ତ୍ରଣାଳୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମୃତ ଡାକ୍ତରଙ୍କ ପରିଚୟ ଯୋଗ୍ୟ ଉଲ୍ଲେଖକୁ ତୁରନ୍ତ ହଟାଇବାକୁ କହିଛି। ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ଅଦାଲତଙ୍କ ଆଦେଶ କୁ ପାଳନ ନକଲେ ଆଇନଗତ ପରିଣାମ ଏବଂ ପରବର୍ତ୍ତୀ ନିୟାମକ କାର୍ଯ୍ୟାନୁଷ୍ଠାନ ହୋଇପାରେ।

Digital Griot