Live Odisha Tv

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଶନିବାର ରାଜସ୍ଥାନସ୍ଥିତ ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତି, ବିଗତ ୩୩ବର୍ଷ ଧରି ମୁଁ ନିରନ୍ତର ସମାଜସେବା କରିଆସୁଛି । ଏହି ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ ନିଶ୍ଚିତ ଭାବେ ସବୁଦିନ ପାଇଁ ସ୍ମୃତି ହୋଇ ରହିବ । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଭାଇସ୍‍ ଚିଫ୍‍ ଅଫ୍‍ ଆର୍ମି ଷ୍ଟାଫ୍‍ ଲ୍ୟୁଟ୍‍ନାଣ୍ଟ ଜେନେରାଲ୍‍ ଏନ୍‍ ଏସ୍‍ ରାଜା ସୁବ୍ରମଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୁରେଶ ଚନ୍ଦ୍ର ପାଢ଼ିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Digital Griot