ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାରଙ୍କ ସହିତ ଆଲୋଚନା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଖୁବ ଶୀଘ୍ର ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ଭାରତ ଯୋଜନା ପାଇଁ ୩୫୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସାମିଲ କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ରାଶିର ସହାୟତା ମିଳିବ । ଏହା ସହ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ପାଇଁ ବ୍ୟବସ୍ଥା କରିବେ ସରକାର ।
ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବାରୁ ଏହି ଦୁଇଟି ରାଜ୍ୟକୁ ଛାଡ଼ି ଦେଶ ସାରା ସବୁ ରାଜ୍ୟରେ ଓଡ଼ିଶା ଲୋକ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସ୍ଵାସ୍ଥ୍ୟ ସେବା ପାଇ ପାରିବେ । ଇନସ୍ୟୁରାନସ ନୁହେଁ ଆସ୍ୟୋରାନସ ମୋଡରେ ମିଳିବ ସ୍ଵାସ୍ଥ୍ୟ ସହାୟତା । ଫଳରେ ରାଜ୍ୟ ବାହାରରେ ଓଡ଼ିଶାର ଲୋକମାନେ ଚିକିତ୍ସା ସେବା ପାଇପାରିବେ । ପୂର୍ବ କାର୍ଡରେ ମାତ୍ର ୯୫୭ ହସ୍ପିଟାଲରେ ଚିକିତ୍ସା ମିଳିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଦେଶ ସାରା ୨୭ ହଜାର ମେଡିକାଲରେ ଏହି ସୁବିଧାର ଲାଭ ଉଠାଇ ପାରିବେ ଲୋକ । ଏହା ଦ୍ୱାରା ଓଡ଼ିଶା ବାହାରେ ରହି କାମ କରୁଥିବା ଯଥା ପ୍ରବାସୀ ଶ୍ରମିକମାନେ ବିଶେଷଭାବେ ଲାଭବାନ ହୋଇପାରିବେ ।