Live Odisha Tv

ଜ୍ୟୋତିଙ୍କ ସହ ସଂପର୍କରୁ ଫସିଗଲେ ପ୍ରିୟଙ୍କା

ଅକଳରେ ପୁରୀ ଝିଅ ପ୍ରିୟଙ୍କା ସେନାପତି। ସୋଶାଲ ମିଡିଆରେ ଘୂରି ବୁଲୁଛି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହିତ ତାଙ୍କର ପୁଳା ପୁଳା ଫଟୋ ଓ ଭିଡିଓ। କେତେବେଳେ ପୁରୀ ତ କେତେବେଳେ କଶ୍ମୀର। କେଉଁଠି ପହଲଗାମ୍‌ରେ ତ କେଉଁଠି ଲାଲଚୌକରେ। ଖାଲି ସେତିକି ନୁହେଁ, ୩ ମାସ ତଳେ ପାକିସ୍ତାନର କରତାରପୁର କରିଡର ବି ଯାଇଥିଲେ ପ୍ରିୟଙ୍କା। ତେଣୁ ଏବେ ଗୁଇନ୍ଦା ସ୍କାନରରେ ପୁରୀର ଏହି ୟୁଟ୍ୟୁବର।

ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ଟ୍ରାଭେଲ୍ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ସଂସ୍ପର୍ଶରେ ଆସି ପାକିସ୍ତାନ ଓ କଶ୍ମୀର କେଉଁ ସବୁ ସ୍ଥାନ ବୁଲି ଯାଇଥିଲେ ପୁରୀର ଝିଅ ପ୍ରିୟଙ୍କା ସେନାପତି ? ଖାଲି କରତାରପୁର କରିଡର ନା ପାକିସ୍ତାନର ଅନ୍ୟ କେଉଁ ସ୍ଥାନକୁ ଯାଇଥିଲେ ପ୍ରିୟଙ୍କା ? ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବାବେଳେ ତାଙ୍କୁ ସମୁଦ୍ରକୂଳ ନା ଶ୍ରୀମନ୍ଦିର ପାଖ, କେଉଁଠି ଓ କେତେଦିନ ରଖାଇଥିଲେ ପ୍ରିୟଙ୍କା? ପୁରୀ ସମ୍ପର୍କରେ କ’ଣ ସବୁ ତଥ୍ୟ ଦେଇଛନ୍ତି ଜ୍ୟୋତିଙ୍କୁ? ଏ ରହସ୍ୟ ଭେଦିବାକୁ ଏବେ ଗୁଇନ୍ଦା ବିଭାଗ ସହ ସାଇବର ୟୁନିଟ୍ ପୁରୀ କାଳିକାଦେବୀ ସାହିର ଯୁବତୀ ପ୍ରିୟଙ୍କାଙ୍କୁ କରୁଛି ଘନ ଘନ ଜେରା।

ଆଜି ପ୍ରିୟଙ୍କାଙ୍କ ଘରକୁ ଯାଇ ପୁରୀର ଅତିରିକ୍ତ ଏସପି ଓ ସିଟି ଡିଏସପି ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରିଛନ୍ତି। ପୁରୀ ଏସପି କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ଏଜେନସିଙ୍କ ସହିତ ହରିୟାଣା ପୁଲିସ ସହିତ ଯୋଗାଯୋଗ ରଖି ବିଭିନ୍ନ ଦିଗରୁ ପ୍ରିୟଙ୍କାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ପୁରୀ ଛାଡ଼ି ନଯିବାକୁ ତାଙ୍କୁ କୁହାଯାଇଛି। ଜ୍ୟୋତି ମାଲହୋତ୍ରା ସହ ଝିଅର ବନ୍ଧୁତା ଓ ୩ ମାସ ତଳେ ପ୍ରିୟଙ୍କା ପାକିସ୍ତାନ କରତାରପୁର କରିଡର ବୁଲି ଯାଇଥିବା କଥା ମାନିଛନ୍ତି ପ୍ରିୟଙ୍କାଙ୍କ ବାପା। ଅନ୍ୟପକ୍ଷରେ ତାଙ୍କ ବଡ଼ ବାପା କହିଛନ୍ତି ଆଗ ଦେଶ, ଝିଅ ପଛ।

ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତାଙ୍କ ଲିଙ୍କରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୁଲିସ। ଜ୍ୟୋତିଙ୍କୁ ୫ଦିନିଆ ରିମାଣ୍ଡରେ ନେଇ ତାଙ୍କୁ ଘନ ଘନ ଜେରା କରାଯାଉଛି। ହିସାର୍ ଏସପି କହିଛନ୍ତି- ଜ୍ୟୋତି ମାଲହୋତ୍ରା ପ୍ରାୟୋଜିତ ଟ୍ରିପ୍‌ରେ ନିୟମିତ ପାକିସ୍ତାନ ଯାଉଥିଲେ। ଥରେ ଚୀନ୍ ବି ଯାଇଛନ୍ତି। ପହଲଗାମ୍ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନରେ ଥିଲେ। ବ୍ୟାଙ୍କ ଡିଟେଲ୍ସର ଯାଞ୍ଚ ଚାଲିଛି। ସେ କେଉଁସବୁ ପାକିସ୍ତାନୀ ଗୁଇନ୍ଦା ଏଜେନସି ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ତାର ବି ଖୋଳତାଡ଼ କରାଯାଉଛି। ଜ୍ୟୋତିଙ୍କୁ ପାକିସ୍ତାନୀ ଏଜେନ୍ସୀ ଏକ ଆସେଟ୍ ଭଳି ବ୍ୟବହାର କରୁଥିବାର ପ୍ରମାଣ ମିଳିଛି।

ସେପଟେ ଜ୍ୟୋତି ମାଲହୋତ୍ରାଙ୍କର ନିଇତି ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ଓ ଭିଡିଓ ପଦାକୁ ଆସୁଛି। ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସହ ତାଙ୍କର କିପରି ନିବିଡ଼ ସଂପର୍କ ଥିଲା, ତାହା ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରୁ ଜଣାପଡ଼ୁଛି। ଏକ ଇଫତାର ଡିନର ପାର୍ଟିରେ ଜ୍ୟୋତିଙ୍କୁ ପାଛୋଟି ନେଇ ନିଜ ପତ୍ନୀଙ୍କ ସହ ଭେଟ କରାଇଥିଲେ ଦାନିଶ୍। ଆଉ ଡାନିଶଙ୍କୁ ହିସାର ଆସିବାକୁ ବି ନିମନ୍ତ୍ରଣ ଦେବାକୁ ପଛାଇନଥିଲେ ଜ୍ୟୋତି। ବଡ଼ କଥା ହେଲା ଇଏ ସେହି ପାକିସ୍ତାନୀ ଦୂତାବାସ ଅଧିକାରୀ ଈଶାନ ଉର ରହିମ ଓରଫ ଦାନିଶ ଓରଫ ଡାନିଶ, ଯାହାକୁ କିଛିଦିନ ତଳେ ତୁରନ୍ତ ଭାରତ ଛାଡ଼ି ଚାଲିଯିବାକୁ ତାଗିଦ୍ କରିଥିଲା ନୂଆଦିଲ୍ଲୀ।

Digital Griot