Live Odisha Tv

ମୋହନ ସରକାରଙ୍କୁ ବବିଙ୍କ ଖୋଲା ଚ୍ୟାଲେଞ୍ଜ

ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ବୋଲି କହି ରାଜ୍ୟର ମୋହନ ଚରଣ ମାଝୀ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ବବି ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ସେ ଯାଜପୁର ବିକାଶ ପାଇଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଆଜି ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ପାଇଁ ଆୟୋଜିତ ଯାଜପୁର ନିର୍ବାଚନମଣ୍ଡଳୀର କୁଆଶ ମଙ୍ଗଳା ପୀଠ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବବି କହିଛନ୍ତି ଯେ, ଯାଜପୁରର ବିକାଶ ପାଇଁ ଯଦି ସେ ଭୁଲ୍ କରିଛନ୍ତି ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବେ । ଯଦି ସେ ଦୁର୍ନୀତି କରିଛନ୍ତି ବୋଲି କହୁଛ, ତେବେ କାହିଁକି ବାନ୍ଧୁନ ବୋଲି ଓଲଟା ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ବବି ଏହି ଅବସରରେ ଯାଜପୁରରୁ ପୁଣିଥରେ ନେତୃତ୍ୱ ନେବାର ସଙ୍କେତ ମଧ୍ୟ ଦେଇଛନ୍ତି । ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ସରକାରକୁ କଡ଼ା ସମାଲୋଚନା କରିବା ସହ ପୁଣିଥରେ ଯାଜପୁରର ନେତୃତ୍ୱ ନେବେ ବୋଲି ଇସାରା କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ଲଢ଼ିବା ପାଇଁ ପଠାଇଥିଲେ । ଏହି ୪ମାସ ଭିତରେ ସେ ଯାଜପୁର ଆସିପାରିନାହାନ୍ତି । କିନ୍ତୁ ଯାଜପୁରବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣିଥରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

ବବି ଗତ ସାଧାରଣ ନିର୍ବାଚନରେ ନିଜର ପାରମ୍ପରିକ ଯାଜପୁର ବିଧାନସଭା ଆସନ ପରିବର୍ତ୍ତେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ମାତ୍ର ନିଜର ମା’ଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲେ । ଆଉ ସେଠାରେ ତାଙ୍କ ମା’ ପରାଜିତ ହୋଇଥିଲେ । କିନ୍ତୁ ତାଙ୍କର ଅନୁଗତ ସୁଜାତା ସାହୁଙ୍କୁ ନିଜ ସିଟ୍ ଯାଜପୁରରୁ ଦଳୀୟ ପ୍ରାର୍ଥୀ କରାଇଥିଲେ ଏବଂ ସୁଜାତା ବିଜୟୀ ହୋଇଛନ୍ତି ।

 

Digital Griot