ବିଶିଷ୍ଟ ବ୍ୟକ୍ତିଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

ଭୁବନେଶ୍ୱର : ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଟ୍‍- କିସ୍‍ ଇଜ୍‍ ୱାନ୍‍’ (କିଓ) ଜୀବନବ୍ୟାପୀ  ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗାଲାଣ୍ଡ ରାଜ୍ୟପାଳ ଶ୍ରୀ ଯାଦବ କହିଲେ, ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଏହା ନିଜ ଭିତରେ ପରିବର୍ତ୍ତନର ମାଧ୍ୟମ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଏଠାରେ ଶିକ୍ଷା ସମାପ୍ତ ପରେ ତୁମେମାନେ ସମାଜକୁ ଭୁଲିବା ଉଚିତ ନୁହେଁ। କାରଣ ତୁମର ବଡ଼ ହେବାରେ ସମାଜର ମଧ୍ୟ ଯୋଗଦାନ ରହିଛି। ଅନ୍ୟତମ ଅତିଥି ଆମେରିକା ହାଉସ୍ ସଦସ୍ୟ କଂଗ୍ରେସମ୍ୟାନ ମାଇକେଲ ବମଗାର୍ଟନର କହିଲେ, କିଟ୍‍ ଓ କିସ୍‍ ହେଉଛି ବିଶ୍ୱର ସର୍ବବୃହତ୍ତ ଶୈକ୍ଷିକ ପ୍ରକଳ୍ପ। ଶିକ୍ଷା ମାଧ୍ୟମରେ ଆମେରିକା ଓ ଭାରତର ସମ୍ପର୍କ ଆହୁରି ସଦୃଢ଼ ହୋଇପାରିବ ବୋଲି ସେ କହିଥିଲେ। ସେହିପରି ଛତିଶଗଡ଼ ମା ବାମଲେଶ୍ୱରୀ ଜନହିତ କରେ ସମିତିର ପ୍ରତିଷ୍ଠାତା ପଦ୍ମଶ୍ରୀ ଫୁଲଭୂଷଣ ବାଇ ଯାଦବ କହିଲେ, ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ଜୀବନ ଜିଇଁବାରେ ଯେଉଁ ଆନନ୍ଦ ଅଛି ତାହା ଅନ୍ୟ କେଉଁଥିରେ ନାହିଁ। ଦାରିଦ୍ର‌୍ୟ ମଧ୍ୟରେ ହାରିଯିବା ଉଚିତ ନୁହେଁ। ଦୃଢ଼ ମନୋବଳ ସହ ଆଗକୁ ବଢ଼ିବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏବିପି ନିଉଜର ବରିଷ୍ଠ ସାମ୍ବାଦିକ ଚିତ୍ରା ତ୍ରିପାଠୀ କହିଲେ, ବିକଶିତ ଭାରତର ସ୍ୱପ୍ନ କିସରେ ସାକାର ହେଉଛି। ସେ କହିଲେ, ଛାତ୍ରଛାତ୍ରୀମାନେ ତୁମେ ତୁମର ଆଦର୍ଶ ବାହାରେ ଖୋଜିବା ଆବଶ୍ୟକ ନାହିଁ। କାରଣ ତୁମ ଆଦର୍ଶ ତୁମ ନିକଟରେ ଅଛନ୍ତି, ସେ ହେଉଛନ୍ତି ତୁମର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ସେହିପରି ମୋତିଲାଲ ଓସୱାଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମୋତିଲାଲ ଓସୱାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ପିଲାମାନେ ତୁମେ ତୁମ ଜୀବନରେ ତିନୋଟି କଥାକୁ ମନେରଖିଥିବ। ଜ୍ଞାନ ଆହରଣ, ରୋଜଗାର ଓ ପ୍ରତିଦାନ। ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ସହ ରୋଜଗାରକ୍ଷମ ହୁଅ ଏବଂ ସମାଜକୁ ଏହାର ପ୍ରତିଦାନ ଦିଅ ବୋଲି କହିଥିଲେ।ଏହି ଅବସରରେ ଛତିଶଗଡ଼ ମା’ ବମ୍ଲେଶ୍ୱରୀ ଜନହିତକାରୀ ସମିତିର ପ୍ରତିଷ୍ଠାତା ପଦ୍ମଶ୍ରୀ ଫୁଲବାସନ ବାଇ ଯାଦବ, ଆମେରିକା ମୋଣ୍ଟାନା ଷ୍ଟେଟ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡ. ବ୍ରକ୍ ଟେସ୍‌ମାନ, ରୋମାନିଆ କ୍ରାଏଭା ସହରର ମେୟର ଲିଆ ଓଲଗୁତା ଭାସିଲେସ୍କୁ, ମିଲିସାଉତି ସହରର ମେୟର ଭାସିଲେ କରାରେ, ବିରଲାଦ୍ ସହରର ମେୟର ଦୁମିତ୍ରୁ ବୋରାସ୍‌, ଏପିଇସି ୟୁନିଭର୍ସିଟିର ରେକ୍ଟର ଏରିକ୍ ଫେଡେରିକୋ ପେରେଜ୍ ଭେଗା, ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଆଭେଲାନେଡାର ରେକ୍ଟର ଜର୍ଜ କାଲଜୋନି ପ୍ରମୁଖଙ୍କୁ କିଟ୍‍-କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ସ୍ୱାଗତ ଭାଷଣ କରିବା ସହ କିଟ୍‍ ଓ କିସ୍‍ ପରିଦର୍ଶନ ପାଇଁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Digital Griot